ପୁରୀ: ଗତକାଲି ମହାପ୍ରଭୁଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜିଠାରୁ ଶ୍ରୀମନ୍ଦିର ମରାମତି କାମ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ। ମରାମତି ପୂର୍ବରୁ ଆଜି ପ୍ରଥମ କରି ଶ୍ରୀମନ୍ଦିରରେ ଲେଜର ସ୍କାନିଂ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର୍‌ ସ୍କାନିଂ କରାଯାଇଛି।। ବୁଧବାର ରାଜ୍ୟ ସରକାରଙ୍କ ବିଶେଷଜ୍ଞ କମିଟି ଆସି ମରାମତି କାର୍ଯ୍ୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ନାଟମଣ୍ଡପ ସହ ଅନ୍ୟାନ୍ୟ ସ୍ଥାନରେ ଲୁହାର ଭାରା ବନ୍ଧା ଯାଇଛି। ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଏହି ମରାମତି କାମ ଚାଲିବ।

ପ୍ରତ୍ନତତ୍ତ୍ବ ବିଭାଗ ସୂଚନା ମୁତାବକ, ମରାମତି ପୂର୍ବରୁ ଆଜି ପ୍ରଥମେ ଶ୍ରୀମନ୍ଦିର ବିଭିନ୍ନ ସ୍ଥାନରେ ଲୁହାର ଭାରା ବନ୍ଧା ଯାଇଥିଲା। ଭାରା ବାନ୍ଧିବା ପରେ ନାଟମଣ୍ଡପ ଓ ଭୋଗମଣ୍ଡପର ଭିତରପାର୍ଶ୍ବରେ ଆବଶ୍ୟକ ଲେଜର ସ୍କାନିଂ କରାଯାଇଛି। ସେହିଭଳି ଭୋଗବୁହା ଟନେଲ୍‌ ତଥା ରାସ୍ତାର ବି ଲେଜର ସ୍କାନିଂ କରାଯାଇଛି। ବିଭିନ୍ନ ସ୍ଥାନର ରଙ୍ଗ କାମ ବି ଆରମ୍ଭ ହୋଇଛି। ବର୍ଷତମାମ ଦୀପ, ଧୂପ ଜଳିବା ପରେ ଗର୍ଭଗୃହ ସହ ଅନ୍ୟାନ୍ୟ ସ୍ଥାନରେ କଳାର ଆସ୍ତରଣ ଜମିଛି। ଏହି କଳାର ଆସ୍ତରଣ ଛଡ଼ା କାମ ଆରମ୍ଭ ହୋଇଛି। ବୁଧବାର ‌ରାଜ୍ୟ ବିଶେଷଜ୍ଞ କମିଟିର ଏନ୍‌ ସି ପାଲ୍‌, ବିଜୟ କୁମାର ପାଲ୍‌, ଜିତୁ ମିତ୍ରଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଆସି ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଅନୁଧ୍ୟାନ କରିବେ।

ପୁରୀ: ଶ୍ରୀମନ୍ଦିର ଦ୍ବାରରେ ରୁପା ଚାଦର ଲାଗିବା ପ୍ରକିୟା ଆରମ୍ଭ ହୋଇଛି। ଏଥିପାଇଁ ଆଜି ବର୍ମା ଟିକ୍‌ରେ ନିର୍ମିତ ଦ୍ବାର ସହ ମୁମ୍ବାଇରୁ ଆସିଥିବା ଷ୍ଟିଲ୍‌ ଫ୍ରେମ୍‌ ଶ୍ରୀମନ୍ଦିରକୁ ନିଆଯାଇଛି। ସେପଟେ ରୁପା ଚାଦରରେ ଆଚ୍ଛାଦିତ ହେବାକୁ ଥିବା ଦ୍ବାର ବି ଲଗାଇବା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ବେହରଣ ଦ୍ବାରକୁ ପରିବର୍ତ୍ତନ କରାଯାଇଛି। ପୁରୁଣା କବାଟକୁ ବଦଳାଯାଇ ପ୍ରଥମେ ଷ୍ଟିଲ୍‌ ଫ୍ରେମ୍‌ ଲାଗିବା ପରେ ଏଥିରେ ନବନିର୍ମିତ ଦ୍ବାର ସଂଯୋଗ ଆରମ୍ଭ ହୋଇଛି। ପରେ ଏହି ଦ୍ବାରରେ ରୁପା ଚାଦର ଲଗାଯିବ। ପର୍ଯ୍ୟାୟକ୍ରମେ ଅନ୍ୟ ଦ୍ବାରର କାମ ଆରମ୍ଭ ହେବ। ଏଥିପାଇଁ ଆଜି କ୍ରେନ୍‌ ଯୋଗେ ସମସ୍ତ ନବନିର୍ମିତ ଦ୍ବାର, ଷ୍ଟିଲ୍‌ ଫ୍ରେମ ସହ ରୁପା ଚାଦର ଦକ୍ଷିଣଦ୍ବାର ଦେଇ ଶ୍ରୀମନ୍ଦିରକୁ ନିଆଯାଇଛି।

The post ଶ୍ରୀମନ୍ଦିର ମରାମତି ଆରମ୍ଭ: ନାଟମଣ୍ଡପ, ଭୋଗମଣ୍ଡପର ହେଲା ଲେଜର ସ୍କାନିଂ first appeared on Sambad.

from ଜିଲ୍ଲା | Sambad https://ift.tt/3xEncIO