ଭୁବନେଶ୍ବର : ଭୁବନେଶ୍ବର ବାଦ୍ ଗଞ୍ଜାମ ଜିଲ୍ଲାରେ ପ୍ରଥମଥର ଲାଗି ‘କୋଭାକ୍ସିନ୍’ ଟିକା ଦିଆଯିବ। ୧୮ ବର୍ଷରୁ ଅଧିକ ‌ଲୋକଙ୍କୁ ଏହି ଟିକା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାରଠାରୁ ଜିଲ୍ଲାରେ କୋଭାକ୍ସିନ୍ ଟିକାକରଣ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଥମ ଡୋଜ୍ ନେଇସାରିଥିବା ଲୋକମାନଙ୍କୁ ଦ୍ବିତୀୟ ଡୋଜ୍ ପାଇଁ ‘କୋଭିସିଲ୍‌ଡ’ ଯୋଗାଣ ଜାରି ରହିବ। ତେଣୁ ଏହି ଅନୁଯାୟୀ ଟିକାକରଣ ଅଧିବେଶନ ଆୟୋଜନ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ମ୍ୟୁନିସିପାଲ୍‌ କମିସନର ଓ ସିଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ରାଜ୍ୟରେ ‘କୋଭିସିଲ୍‌ଡ’ ଟିକାର ଅଭାବ ପାଇଁ ଟିକାକରଣ ଧିମେଇ ଯାଇଛି। ଭୁବନେଶ୍ବରରେ କେବଳ ‘କୋଭାକ୍ସିନ୍’ ଟିକା ଦିଆଯାଉଥିବା ବେ‌ଳେ ଏବେ ଏହାକୁ ଗଞ୍ଜ‌ାମ ଜିଲ୍ଲାରେ ଦିଆଯିବ। ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି, ସେମାନେ କୋଭାକ୍ସିନ୍ ନେଇପାରିବେ। ହିତାଧିକାରୀଙ୍କ କ୍ଷେତ୍ରରେ ଯେପରି କୋଭାକ୍ସିନ୍ ଓ କୋଭିସିଲ୍‌ଡର ମିଶ୍ରଣ ‌ନ ହୁଏ, ତାହା ଉପରେ ଗୁରୁତ୍ବ ଦିଆଯାଇଛି। କୋଭିସସିଲ୍‌ଡର ପ୍ରଥମ ଡୋଜ୍ ଟିକା ନେଇଥିବା ‌ହିତାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଦ୍ବିତୀୟ ଡୋଜ୍ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ତେଣୁ କେତେ ସଂଖ୍ୟାରେ ଦ୍ବିତୀୟ ଡୋଜ୍ କୋଭିସିଲ୍‌ଡର ଆବଶ୍ୟକତା ରହିଛି, ସେ ସଂପର୍କରେ ବିଭାଗକୁ ଆଗୁଆ ଜଣାଇବା ଲାଗି କୁହାଯାଇଛି। ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର, ସୁପରଭାଇଜର, ପ୍ରକଳ୍ପ ଅଧିକାର ଓ ଟିକା ପ୍ରଦାନକାରୀଙ୍କୁ କୋଭାକ୍ସିନ୍ ଟିକାର ଡୋଜ୍ ଓ ଦୁଇ ଡୋଜ୍‌ର ଅବଧି ଓ ଟିକା ନେବା ପରେ ପାର୍ଶ୍ବପ୍ରତିକ୍ରିୟା ଉପରେ ନଜର ରଖିବା ଗୁରୁତ୍ବ ଦେବାକୁ କୁହାଯାଇଛି।

ରାଜ୍ୟରେ ଏବେ ୪ଲକ୍ଷ ୧୮ହଜାରରୁ ଅଧିକ ଡୋଜ୍ କୋଭାକ୍ସିନ୍ ରହିଛି। ଧୀରେଧୀରେ ଭୁବନେଶ୍ବର ଶତପ୍ରତିଶତ ଟିକାକରଣ ଆଡ଼କୁ ମୁହାଁଇଛି। ତେଣୁ ବଳକା ଟିକାକୁ ଗଞ୍ଜାମ ଜିଲ୍ଲାରେ ବ୍ୟବହାର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଗଞ୍ଜାମ ବାଦ୍ ଆଗକୁ ଅନ୍ୟ କେଉଁ ଜିଲ୍ଲାରେ କୋଭାକ୍ସିନ୍‌ର ବ୍ୟବହାର ସଂପର୍କରେ ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇ ନଥିବା କୁହାଯାଇଛି।

The post ଗଞ୍ଜାମରେ ସୋମବାରରୁ ‘କୋଭାକ୍ସିନ୍’, ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ first appeared on Sambad.

from ଜିଲ୍ଲା | Sambad https://ift.tt/3wf6Lkz