ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ରେ ସ୍ୱାଭାବିକ ବର୍ଷା ହୋଇପାରିନାହିଁ। ଜଳବାୟୁର ଏପରି ପରିବର୍ତ୍ତନ ତଥା ନିଅଣ୍ଟିଆ ବର୍ଷା ଚାଷୀ ପାଇଁ ସମସ୍ୟା ସୃଷ୍ଟି କରିଛି। ବୁଣା ଯାଇଥିବା ଧାନଗଛ ବେଉଷଣ ହୋଇନପାରି ସବୁ ବୁଢ଼ା ହୋଇଯାଇଥିବା ବେଳେ ବର୍ଷା ଅଭାବରୁ ଧାନ ଜମିରେ ଅନାବନା ଘାସ ବହୁତ ବଢ଼ିଗଲାଣି। ରୋଇବା ପାଇଁ ପକାଇଥିବା ତଳି (ପଲା) ମରିବାକୁ ବସିଲାଣି। ନଈ, ନାଳ ଓ ପୋଖରୀ ସବୁ ଶୁଖା ପଡ଼ିଥିବା ବେଳେ ଏଲ୍‌ଆଇ ପଏଣ୍ଟ୍ ଥାଇ ସୁଦ୍ଧା ଚାଷୀ ପାଣି ମଡ଼ାଇ ପାରୁନାହିଁ। ଜଳସ୍ତର ବହୁତ ତଳେ ଥିବାରୁ ଡିପ୍ ବୋରୱେଲ୍‌ରୁ ଆବଶ୍ୟକ ମୁତାବକ ପାଣି ବାହାରି ପାରୁନାହିଁ। ଚାଷକାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି।

ଅଣଧାନ ଚାଷ ଯଥା ମକା, କପା, ପନିପରିବା ଓ ହରଡ଼ ଚାଷୀଙ୍କ ପାଇଁ ମଧ୍ୟ ସମସ୍ୟା ଦେଖାଦେଇଛି। ବର୍ଷାଅଭାବ ଫଳରେ ମାଟି ବସି ଯାଇଥିବାରୁ କପା ଚାଷରେ ହୁଡ଼ା ଦେବାରେ ଅସୁବିଧା ହେଉଛି। ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷାର ସମ୍ଭାବନା ବହୁତ କମ୍‌। ନର୍ଲା ବ୍ଲକ୍‌ ଅଧୀନ ରୁପ୍ରା, କର୍ମେଗାଁ, ମୁସ୍କୁଟି, ଗିଗିନା, ଟକର୍ଲା ଓ ଭୀମକେଲା ପଞ୍ଚାୟତର ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଏହିସବୁ ଅଞ୍ଚଳକୁ ମେଗା ଜଳସେଚନ ପ୍ରକଳ୍ପର ବ୍ୟବସ୍ଥା ନିମନ୍ତେ କଳାହାଣ୍ଡି ସାଂସଦ ଓ ନର୍ଲା ବିଧାୟକ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

The post କଳାହାଣ୍ଡି: ବର୍ଷା ଅଭାବ, ଚାଷ ଠପ୍ first appeared on Sambad.

from ଜିଲ୍ଲା | Sambad https://ift.tt/3em3aeq