
ବଲାଙ୍ଗୀର : କରୋନା କାଳରେ ମାତିଲେଣି ଚୋର। ବିଦ୍ୟୁତ ଖୁଣ୍ଟରୁ ଚୋରି କରି ନେଉଛନ୍ତି ବିଦ୍ୟୁତ ତାର। ଆଲୁମିନିୟମ ବିଦ୍ୟୁତ ତାର ଚୋରି କଲା ପରେ ତାହା ବାହାର ଅଂଚଳକୁ ଚୋରାଚାଲାଣ ହେଉଛି। ଏପରିକି ସ୍ଥାନୀୟ ଅଂଚଳର କେତେ ଜଣ ଆଲୁମିନିୟମ ବ୍ୟବସାୟୀ ମଧ୍ୟ ଚୋରା ତାର କିଣି ରାତାରାତି ତରଳାଇ ଦେଉଛନ୍ତି। ଏଭଳି ଏକ ଚୋରାଚାଲାଣ କରୁଥିବା ଗ୍ୟାଙ୍ଗ୍ ଉପରେ ପୁଲିସ ଚଢ଼ଉ କରିଛି। ଚୋଚାଲାଣ ସମୟରେ ବ୍ୟବହୃତ ଗାଡ଼ି ସହ ଲୋଡିଂ ହୋଇଥିବା ତାରକୁ ଜବତ କରାଯାଇଛି। ମାମଲାରେ ଦୁଇଜଣଙ୍କୁ ଅଟକ ରଖି ପୁଇନ୍ତଲା ପୁଲିସ ତଦନ୍ତ ଜାରି ରଖିଛି।
ଗୁରୁବାର ସକାଳୁ ପୁଇନ୍ତଲା ଏବଂ ସଦର ପୁଲିସ ଟିମ୍ ଫିଲ୍ମ ଷ୍ଟାଇଲରେ ଏକ ମିନିଟ୍ରକ୍କୁ ପିଛା କରିଥିଲା। ସୁଦପଡ଼ା ରେଲୱେ ଓଭରବ୍ରିଜ ନିକଟରେ ଗାଡ଼ିକୁ କାବୁ କରିଥିଲା ପୁଲିସ ଟିମ୍। ଗାଡ଼ି ଭିତରୁ ବିପୁଳ ପରିମାଣର ଆଲୁମିନିୟମ ତାର ଜବତ ହୋଇଥିଲା। ଗାଡ଼ିର ଚାଳକ ସହିତ ଦୁଇଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା ପୁଲିସ କରୁଛି। ତଦନ୍ତ ଜାରି ରହିଥିବାରୁ ପୁଲିସ ବର୍ତ୍ତମାନ ସବିଶେଷ ସୂଚନା ଦେଇନାହିଁ। ଏହି କାରବାରରେ ଏକ ବଡ଼ ରାକେଟ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲାଣି। ବଲାଙ୍ଗୀର ସହରରେ ଦୁଇରୁ ତିନୋଟି ସ୍ଥାନରେ ଗୋଦାମ କରି ତାର ରଖାଯାଉଛି। ଆଉ ତାର କାଟିବା ପାଇଁ ଏକ ଚୋର ଦଳ ବିଭିନ୍ନ ସ୍ଥାନ ବୁଲୁଥିବା ଜଣାପଡ଼ିଛି। ଏହି ଚୋରା କାରବାର ନିୟମିତ ବ୍ୟବଧାନରେ ଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଆଗକୁ ଏହି କାରବାରର ମାଷ୍ଟରମାଇଣ୍ଡକୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।
The post ଆଲୁମିନିୟମ ତାର ଜବତ, ଦୁଇ ଅଟକ; ମାଷ୍ଟରମାଇଣ୍ଡ କିଏ? first appeared on Sambad.from ଜିଲ୍ଲା | Sambad https://ift.tt/3B5fdXk
0 Comments