
କେନ୍ଦୁଝର : ବଡବିଲ ରେଞ୍ଜ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର କମ୍ପାନିର ବର୍ଜ୍ୟବସ୍ତୁ ପକାଯିବା ଘଟଣାକୁ ଇତିମଧ୍ୟରେ ତିନି ମାସ ବିତି ଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଲୋକ ଦେଖାଣିଆ ଭାବରେ ଗୋଟିଏ ହାଇୱା ଜବତ କରିବା ସହିତ ଜଣେ ଡ୍ରାଇଭରକୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଗତ ଏପ୍ରିଲ ୯ ତାରିଖରେ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ଏକ ହାଇୱା ଗାଡ଼ିରେ ନିକଟସ୍ଥ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର କମ୍ପାନିର ବର୍ଜ୍ୟବସ୍ତୁ ଫିଙ୍ଗା ଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ଉକ୍ତ ଗାଡ଼ିକୁ ଜବତ କରାଯିବା ସହିତ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏଥିନେଇ ଗତ ଏପ୍ରିଲ ୯ ତାରିଖରେ ବନ ବିଭାଗ ଏକ ମାମଲା ରୁଜୁ କରିଥିଲା। ଏହାପରେ କେନ୍ଦୁଝର ଡିଏଫ୍ଓ ସ୍ୱୟମ ମଲ୍ଲିକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବନବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଖଣି ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ପରେ ଜଙ୍ଗଲରେ ପ୍ରଚୁର ପରିମାଣର ବର୍ଜ୍ୟବସ୍ତୁ ପଡିବା ନେଇ ମଧ୍ୟ ଗତ ଏପ୍ରିଲ ୨୯ ତାରିଖରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ମାତ୍ର ତିନି ବିଭାଗର ତଦନ୍ତ ରିପୋର୍ଟ ପରେ ମଧ୍ୟ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବନ ବିଭାଗ କାହିଁକି ଚୁପ ରହିଛି ତାହା ଏବେ ସନ୍ଦେହ ଘେରରେ ରହିଛି । ବିଭାଗ ପକ୍ଷରୁ କେବଳ ମାମଲା କରାଯାଇଥିବାବେଳେ ଦାୟୀ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସେପଟେ କେତେ ଜଙ୍ଗଲ ନଷ୍ଟ ହୋଇଛି ତାହାର ଆକଳନ ମଧ୍ୟ କରାଯାଇ ନାହିଁ କି ଜଗନ୍ନାଥ ଷ୍ଟିଲ ଠାରୁ ଜରିମାନା ଆଦାୟ ହୋଇନାହିଁ।
୨୦୧୨ ମସିହାରୁ କମ୍ପାନି କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏଠାରେ ପକାଯାଇଛି । ବର୍ଜ୍ୟବସ୍ତୁ ପଡିବା ଯୋଗୁଁ ପରିବେଶ ନଷ୍ଟ ହେବା ସହ ବର୍ଷା ହେଲେ ବର୍ଜ୍ୟଜଳ ଜଙ୍ଗଲ ଏଣେତେଣେ ବୋହି ବୃକ୍ଷଲତା ନଷ୍ଟ କରୁଛି। ଏହାର ପ୍ରଭାବ ଜଙ୍ଗଲୀ ଜୀବଜନ୍ତୁଙ୍କ ଉପରେ ପଡ଼ୁଛି। କମ୍ପାନିମାନଙ୍କ ଦାୟିତ୍ୱହୀନତା ଯୋଗୁଁ ସଂରକ୍ଷିତ ଜଙ୍ଗଲ ନଷ୍ଟ ହେଉଛି। ଏଠାରେ ବେଆଇନ ଭାବେ ବର୍ଜ୍ୟବସ୍ତୁ ପକାଇବା ଦ୍ବାରା ୧୧୯ ନମ୍ବର ଏବଂ ୧୨୦ ନମ୍ବର ଖୁଣ୍ଟି ପୋତି ଦେଇଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା। କମ୍ପାନି ବର୍ଜ୍ୟବସ୍ତୁ ପକାଇବା ପାଇଁ ଜଙ୍ଗଲ ଆଡକୁ ଏକ ଫାଟକ ବାହାର କରିଥିବା ତଦନ୍ତ ବେଳେ ଜଣାପଡିଥିଲା । ଏପରିକି ଆଦିବାସୀଙ୍କ ଚଳାପଥ ରାସ୍ତା ଚଉଡା କରି ଗାଡ଼ି ଚଳାଚଳ କରୁଥିଲା । ଏହି ସମସ୍ତ କାରବାର ୨୦୧୨ରୁ କେତେକ ବନ ଅଧିକାରୀ ଏବଂ କର୍ମଚାରୀଙ୍କ ଜାଣତରେ ଚାଲୁଥିଲା ବେଳେ ଡିଏଫଓ ଅନ୍ଧାରରେ ଥିଲେ। ବର୍ଜ୍ୟବସ୍ତୁରେ ବର୍ଷାଜଳ ମିଶି ବିଷାକ୍ତ ପାଣି ନିକଟସ୍ଥ କାରୋ ନଦୀରେ ପଶୁଛି। ଫଳରେ ନଦୀ ଜଳକୁ ଦୂଷିତ କରୁଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା। ଯେଉଁଥିପାଇଁ ନଦୀ ଉପରେ ନିର୍ଭର କରୁଥିବା ଲୋକ ଜୀବନଜୀବିକା ପ୍ରଭାବିତ ହେବା ସହ ନଦୀ ଜଳ ପିଉଥିବା ଲୋକ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଖରାଦିନରେ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ପଡିଥିବା କଳାଗୁଣ୍ଡ ଉଡି ପରିବଶେ ପ୍ରଦୂଷଣ କରୁଛି। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି
The post ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ବର୍ଜ୍ୟବସ୍ତୁ ପଡ଼ିବା ଘଟଣା: ଶିଳ୍ପସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ? first appeared on Sambad.from ଜିଲ୍ଲା | Sambad https://ift.tt/3As2cXn
0 Comments