
କଟକ : କଟକରେ ଚାଲିଛି ଚାଉଳ ଖେଳ। ମିଲର୍ଠୁ ରାଇସ୍ ରିସିଭିଙ୍ଗ ସେଣ୍ଟର୍(ଆରଆରସି)କୁ ନଯାଇ ସିଧା ଡିଲର୍ ପଏଣ୍ଟ୍ ଯାଉଛି ଚାଉଳ। ନିମ୍ନମାନର ଚାଉଳ ଯୋଗାଣ ବ୍ୟବସ୍ଥାକୁ ଦର୍ଶାଇବା ପାଇଁ ଏଭଳି ବ୍ୟବସ୍ଥା ଆପଣାଇଛି କଟକ ଜିଲ୍ଲା ଯୋଗାଣ ବିଭାଗ। କିନ୍ତୁ କାଗଜପତ୍ରରେ ଆର୍ଆର୍ସି ପଏଣ୍ଟ୍ରେ ପହଞ୍ଚିଥିବା ଦର୍ଶାଯାଉଛି। କେନ୍ଦ୍ରୀୟ ଟିମ୍ର ରିପୋର୍ଟ ପରେ କଟକରେ ଚାଉଳର ମାନକୁ ନେଇ ପ୍ରଶ୍ନ ଉଠିବା ପରେ ଏବେ ନିମ୍ନମାନର ଚାଉଳ କାଳେ ଗୋଦାମରେ ରଖାଗଲେ ଧରାପଡ଼ିଯିବ ବୋଲି ଭୟରେ ଗୋଦାମରେ ନାଁ ଏଣ୍ଟ୍ରି କରି ବଦଳାଯାଉଛି ଟ୍ରକ୍। ଅର୍ଥାତ୍ ଗୋଦାମ ଭିତରକୁ ଚାଉଳ ନଯାଇ ବାହାରେ ହିଁ ଗୋଟିଏ ଟ୍ରକରୁ ଅନ୍ୟ ଟ୍ରକ୍କୁ ମାଲ ବଦଳାଯାଉଥିବା ଅଭିଯୋଗ ହୋଇଛି। ବାଙ୍କୀ ବ୍ଲକ୍ର ଜାତମୁଣ୍ଡିଆଠାରେ ଥିବା ଗୋଦାମ ଏହି କାରବାର ମୁଖ୍ୟ ପେଣ୍ଠସ୍ଥଳୀ। ସେଠାରେ ୱେ-ବ୍ରିଜ୍ କି ଅନ୍ୟ ବ୍ୟବସ୍ଥା ନଥିବାରୁ ଏହା ପାଲଟିଛି ଚାଉଳ ହେରାଫେରିର ପେଣ୍ଠସ୍ଥଳୀ।
ଏ ସଂପର୍କରେ ଗତମାସରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପରେ ରାଜ୍ୟ ଯୋଗାଣ ବିଭାଗ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ, ଘଟଣାର ବାଁ-ଡାହାଣ ତଦନ୍ତ କରି ପ୍ରକୃତ ତଦନ୍ତକୁ ଚାପି ଦେଇଛି ଯୋଗାଣ ବିଭାଗ। କେବଳ ନାମକୁମାତ୍ର ଏହି ଗୋଦାମ ଦାୟିତ୍ବରେ ଥିବା ‘ପ୍ରୋକ୍ୟୁରମେଣ୍ଟ ଇନ୍ସପେକ୍ଟର୍’ଙ୍କୁ ସେହି ଗୋଦାମ ଦାୟିତ୍ବରୁ କାଢ଼ି ନିଆଯାଇ ଅନ୍ୟତ୍ର ବଦଳି କରାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଜାତମୁଣ୍ଡିଆ ଗୋଦାମ ଦାୟିତ୍ବ ଅନ୍ୟଜଣେ ପିଆଇଙ୍କୁ ଦାୟିତ୍ବ ଦିଆଯାଇଛି। ଚାଲିଥିବା ଲୁଟ୍ରୁ ଲୋକଙ୍କ ଦୃଷ୍ଟି ଏଡାଇବା ପାଇଁ କେତେବେଳେ ଏଭଳି ତଳିଆ ଅଧିକାରୀଙ୍କୁ ବଦଳି ତ ପୁଣି କେତେବେଳେ ନିଲମ୍ବନ କରି ଯୋଗାଣ ବିଭାଗ ନିଜ ଦାୟିତ୍ବ ଖସାଇ ଦେଉଥିବା ଅଭିଯୋଗ ହେଉଛି। ଫଳରେ ଏହା ପଛରେ ଥିବା ବଡ଼ ଅଧିକାରୀ ତଥା ଦୁର୍ନୀତିର ମୁଖ୍ୟମାନେ ଖସି ଯାଉଛନ୍ତି। କେନ୍ଦ୍ରୀୟ ଟିମ୍ର ରିପୋର୍ଟ ଘଟଣାରେ ମଧ୍ୟ ଦୁଇଜଣ ଅଧିକାରୀଙ୍କୁ ନିଲମ୍ବିତ କରି ବିଭାଗ ଦାୟିତ୍ବ ଖସାଇ ଦେଇଥିବାବେଳେ ବଡ଼ ଅଧିକାରୀଙ୍କୁ କେବଳ କାରଣଦର୍ଶାଅ ନୋଟିସ୍ ଜାରି କରି ଚୁପ୍ ବସିଛି। ଅନ୍ୟପଟେ ଏଫ୍ସିଆଇ ଅଧିକାରୀଙ୍କ ବିରୋଧରେ ବି କୌଣସି କାର୍ଯ୍ୟାନୁଷ୍ଠାନ ବିଭାଗ ନେଇ ନଥିବା ଜଣାପଡ଼ିଛି।
The post କଟକରେ ଚାଉଳ କେଳେଙ୍କାରୀ ଘଟଣା: ଗୋଦାମକୁ ନାଁକୁ ଯାଉଛି, ବାହାରେ ହେଉଛି ଟ୍ରକ୍ ବଦଳ first appeared on Sambad.from ଜିଲ୍ଲା | Sambad https://ift.tt/3ADFnjQ
0 Comments