
ସିଂହପୁର/ବିଂଝାରପୁର : ବିଂଝାରପୁର ବ୍ଲକ୍ ସିଂହପୁର ପଞ୍ଚାୟତର ବିସ୍ତୀର୍ଣ୍ଣ ଗୋଚର ଜମିରେ ୨୫ଲକ୍ଷ ଟଙ୍କା ବିନିମୟରେ ମିନି ଷ୍ଟାଡିୟମ୍ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କେତେକ ଲୋକ କାର୍ଯ୍ୟ ବନ୍ଦ କରିବାକୁ ଯାଇଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏପରିକି ନିର୍ମାଣାଧୀନ ପାଚେରିର କିଛି ଅଂଶ ବିରୋଧୀ ଭାଙ୍ଗି ଦେଇଥିଲେ। ଘଟଣାକୁ ନେଇ ବିଜେଡି-ବିଜେପି ରାଜନୀତି ମଧ୍ୟ ବେଶ୍ ସରଗରମ ହୋଇଛି। ଏନେଇ ବିଂଝାରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଚଳାଇଛି।
ପ୍ରକାଶ ଯେ ସିଂହପୁର ପଞ୍ଚାୟତରେ ଥିବା ଖାତା ନମ୍ବର- ୧୬୫୦, ପ୍ଲଟ ନମ୍ବର- ୨୮୬୨, ୨୯୩୪ ଓ ୨୯୩୭ (କାକୁଡିପଡିଆ) ଗୋଚର ଜମିରେ କ୍ରୀଡ଼ା ବିଭାଗ ପକ୍ଷରୁ ୨୫ଲକ୍ଷ ଟଙ୍କା ଅନୁଦାନରେ ବ୍ଲକ ପ୍ରଶାସନ ଦ୍ବାରା ମିନି ଷ୍ଟାଡିୟମ ନିର୍ମାଣ ହେଉଛି। ସିଂହପୁର ପଞ୍ଚାୟତର ଏହା ଏକମାତ୍ର ଗୋଚର ଜମି। ହାରାହାରି ୧୦ ଏକର ପରିମିତି ଏହି ପଡ଼ିଆରେ ପଞ୍ଚାୟତର ଗୋରୁ, ଛେଳି ଓ ମେଣ୍ଢା ଚରିଥାନ୍ତି। ଗୋଚର ଜମିରେ ଷ୍ଟାଡିୟମ ନିର୍ମାଣକୁ ବିରୋଧକରି କେତେକ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପଞ୍ଚାୟତର କିଛି ପ୍ରଭାବଶାଳୀ ବ୍ୟକ୍ତି ତହସିଲଦାରଙ୍କ ଉପରେ ରାଜନୈତିକ ଚାପ ପକାଇ ଜମି କିସମ ବଦଳାଇ ପଡ଼ିଆରେ ପାଚେରି ନିର୍ମାଣ କରାଯାଉଥିବା ଅଭିଯୋଗ କରିଛନ୍ତି। କାର୍ଯ୍ୟ କ୍ଷେତ୍ରରେ କୌଣସି ସୂଚନା ଫଳକ ଲଗାଯାଇନଥିବା ବେଳେ କାର୍ଯ୍ୟର ଅଟକଳ ମୂଲ୍ୟ ଗୁପ୍ତ ରଖାଯାଇଛି।
କେତେକ ଗ୍ରାମବାସୀ ଏ ସଂପର୍କରେ କାମ କରୁଥିବା ଲୋକଙ୍କୁ ପଚାରିଥିିଲେ। ଏହି ଘଟଣାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କେତେକ ଯୁବକ ଆକ୍ରମଣ କରିଥିବା ନେଇ ଅଭିମନ୍ୟୁ ସାହୁ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରୁ ମଧ୍ୟ ଏତଲା ହୋଇଛି। ବିଂଝାରପୁର ପୁଲିସ ଘଟଣା ସଂପର୍କରେ ତଦନ୍ତ ଚଳାଇଥିବା ବେଳେ କୌଣସି ମାମଲା ରୁଜୁ କରିନାହିଁ। ଏହି ଘଟଣାରେ କୌଣସି ଅଧିକାରୀ ଓ ଲୋକପ୍ରତିନିଧ ମତାମତ ଦେବାକୁ ମୁହଁ ଲୁଚାଉଛନ୍ତି।
The post ଗୋଚର ଜମିରେ ମିନି ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ, ନିର୍ମାଣାଧୀନ ପାଚେରି ଭାଙ୍ଗିଲେ ବିରୋଧୀ first appeared on Sambad.from ଜିଲ୍ଲା | Sambad https://ift.tt/2Vc8sCp
0 Comments