
ସମ୍ବଲପୁର : ଲବଡେରା ଗ୍ରାମର ପ୍ରାଣବନ୍ଧୁ ଶତପଥୀ ତାଙ୍କ ଫାର୍ମ ହାଉସ୍ରେ କାମ କରାଇବାକୁ ଡାକି ଜଣେ ଆଦିବାସୀ ମହିଳା ଓ ତାଙ୍କ ୧୪ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେଇଥିବା ଧମା ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ପ୍ରାଣବନ୍ଧୁକୁ ପୁଲିସ ଗିରଫ କରିଛି।
ପୀଡ଼ତାଙ୍କ ଅଭିଯୋଗ ହେଲା, ଲବଡେରାର ପ୍ରାଣବନ୍ଧୁ ଶତପଥୀ ତାଙ୍କ ଫାର୍ମ ହାଉସ୍ରେ କାମ କରିବା ପାଇଁ ମହିଳାଙ୍କ ପରିବାରକୁ ରଖିଥିଲେ। ଜୁନ୍ ୩୦ ତାରିଖରୁ ମହିଳାଙ୍କ ପରିବାର କାମ କରିବା ପାଇଁ ଏହି ଫାର୍ମ ହାଉସ୍କୁ ଯାଇଥିଲେ। ଜୁଲାଇ ୪ ତାରିଖ ଦିନ ମହିଳା ଜଣକ କିଛି ଟଙ୍କା ଦେବା ପାଇଁ ପ୍ରାଣବନ୍ଧୁଙ୍କୁ କହିଥିଲେ। ଏହାପରେ ୫ ତାରିଖ ସକାଳେ ମହିଳା ଜଣକ ଗୁହାଳ କାମ କରୁଥିବା ବେଳେ ତାଙ୍କୁ ଅସଦାଚରଣ କରିଥିଲେ। ମହିଳା ଜଣକ ଚିତ୍କାର କରି ସେଠାରୁ ଦୌଡ଼ି ଚାଲି ଆସିଥିଲେ। ଏ କଥା କାହାକୁ କହିଲେ ପୂରା ପରିବାକୁ ମାରିଦେବେ ବୋଲି ଧମକ୍ ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କ ବଡ଼ ଝିଅ ଉପରେ ଖରାପ ନଜର ପକାଇଥିଲେ। ଜୁଲାଇ ୬ ତାରିଖ ଦିନ ତାଙ୍କୁ ଖୁସି କରିଦେଲେ ଯେତେ ଟଙ୍କା ମାଗିବୁ ସେତେ ଟଙ୍କା ଦେବେ କହି ଅସଦାଚରଣ କରିଥିଲେ।
ଝିଅ କାନ୍ଦି କାନ୍ଦି ଏ ବିଷୟରେ ମାଆଙ୍କୁ ଜଣେଇଥିଲା। ଏଭଳି ସ୍ଥିତିରେ ସୁଯୋଗ ଦେଖି ୧୪ ତାରିଖ ସନ୍ଧ୍ୟାରେ ମହିଳାଙ୍କ ପରିବାର ସେହି ଫାର୍ମ ହାଉସ୍ରୁ ଚାଲି ଆସିଥିଲେ। ଏହାପରେ ଫୋନ୍ କରି ବ୍ୟକ୍ତି ଜଣକ କାମ କରି ନଆସିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ୨ ଜଣଙ୍କୁ ଧରି ଉକ୍ତ ବ୍ୟକ୍ତି ଜଣକ ୧୯ ତାରିଖ ଦିନ ମହିଳାଙ୍କ ଶାଶୂଙ୍କୁ ଜବରଦସ୍ତି ସେଠାରୁ ନେଇ ଚାଲିଯାଇଥିଲେ ଏବଂ କାମ କରିବାକୁ ନଆସିଲେ ବୃଦ୍ଧାଙ୍କୁ ହତ୍ୟା କରିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ମହିଳା ଜଣକ ଧମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଧମା ପୁଲିସ ଅଭିଯୁକ୍ତ ପ୍ରାଣବନ୍ଧୁଙ୍କୁ ଗିରଫ କରିଛି।
The post ଆଦିବାସୀ ମହିଳା ଓ ତାଙ୍କ ୧୪ ବର୍ଷର ଝିଅକୁ ଯୌନ ନିର୍ଯାତନା, ଅଭିଯୁକ୍ତ ଫାର୍ମ ହାଉସ୍ ମାଲିକ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3eOyzGE
0 Comments