ବାଲେଶ୍ବର: ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପରେ ୨୦୧୭ ମସିହାରେ ବାଲେଶ୍ବରକୁ ଆସିଥିଲା ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ। ପ୍ରାଥମିକ ପର୍ଯ୍ୟାୟରେ ରେମୁଣା ବ୍ଲକର ଗଣେଶ୍ବରପୁର ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ତଥା‌ ଗୋଦାମଗୃହ‌ରେ ଏହି ସ୍କୁଲର ଉଦ୍‌ଘାଟନ କରାଯାଇ ପାଠପଢ଼ା ଆରମ୍ଭ ଚାଲିଥିବା ବେଳେ ସ୍ଥାୟୀ ଗୃହନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ନରହରିପୁର ଶିଳ୍ପାଞ୍ଚଳ ସ୍ଥିତ ଛଣପୁରଠାରେ ୧୦ ଏକର ଜମି ଯୋଗାଇ ଦେଇଛି। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅସଚେତନା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଜିଲ୍ଲାବାସୀଙ୍କ ଏହି ଦୀର୍ଘଦିନର ଦାବିକୁ ଉପେକ୍ଷା କରିଆସିଥିଲା। ଫଳରେ ଜିଲ୍ଲାବାସୀ ତଥା ଅଭିଭାବକଙ୍କ ମହଲରେ କେଭି-୨ର ସ୍ଥାୟୀ ଗୃହ ନିର୍ମାଣ ଦାବିରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ସୂଚନାଥାଉକି, ପ୍ରଥମେ ରେମୁଣା ସ୍ଥିତ ଏହି ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀରେ ୪୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ନେଇ ପା‌ଠପଢ଼ା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଆଉ ୩ଟି ଶ୍ରେଣୀ ବଢ଼ାଯାଇଛି। ତେଣୁ ଏବେ ସମୁଦାୟ ପିଲାଙ୍କ ସଂଖ୍ୟା ୩୬୦ ଛୁଇଁଥିବା ବେଳେ ସେହି ଅନୁସାରେ ‌ଏଠାରେ ଶ୍ରେଣୀଗୃହ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ ରହିଛି। ଅସ୍ଥାୟୀ ବିଲ୍ଡି˚ରେ ବିଦ୍ୟୁତ୍‌ ସମସ୍ୟା ରହିଥିବା‌ ବେଳେ ଚତୁଃପାର୍ଶ୍ବରେ ଆଦୌ ଶୈକ୍ଷିକ ପରିବେଶ ନାହିଁ।

ଏନେଇ ବାଲେଶ୍ବରର ତତ୍କାଳୀନ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ବର୍ତ୍ତମାନର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ଚିଠି ଲେଖି ତୁରନ୍ତ ସ୍ଥାୟୀ ଗୃହ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ଆଜିକୁ ୪ ବର୍ଷ ହେଲା ପିଲାମ‌ାନେ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ଏହି ବାତ୍ୟା ଆଶ୍ରୟସ୍ଥଳୀ ତଥା ଗୋଦାମଗୃହରେ ପାଠ ପଢ଼ି ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ବିଲ୍ଡିଂ ନିର୍ମାଣ ନେଇ ସେଠାରେ ଖଣ୍ଡେ ଇଟା ବି ପଡ଼ିପାରିନାହିଁ। ଏହି ପ୍ରକଳ୍ପ ପାଇଁ ଏଠାରୁ ବ୍ୟୟ ଅଟକଳର ଫାଇଲ ଏବେ କେନ୍ଦ୍ରୀୟ ବିଦ୍ୟାଳୟର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ପଡ଼ି ରହିଥିବା ଜାଣିବାକୁ ମିଳିଛି। ତେବେ କେନ୍ଦ୍ରରେ ଏବେ ଶିକ୍ଷାମନ୍ତ୍ରୀ ପଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଥିବା ବେଳେ ବାଲେଶ୍ବରରେ ‌ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଗୃହ ନିର୍ମାଣ ଖୁବ୍‌ଶୀଘ୍ର ହେବା ନେଇ ଆଶା ସଂଚାର ହୋଇଛି। ଏବେ ଏଥିପାଇଁ ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ, ଛାତ୍ର ଓ ଅଭିଭାବକ ସଂଗଠନ ପକ୍ଷରୁ ଦାବି ଉଠିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

The post ଗୋଦାମଗୃହରେ କେନ୍ଦ୍ରୀୟ ବିଦ୍ୟାଳୟ ଆଉ କେତେଦିନ? first appeared on Sambad.

from ଜିଲ୍ଲା | Sambad https://ift.tt/3kHgCNQ