
ଭଦ୍ରକ: ଶ୍ରାବଣ ମାସରେ ଭଦ୍ରକର ଆରଡି ରାସ୍ତାରେ ଶୁଭେ କାଉଡ଼ିଆଙ୍କ ବୋଲବମ୍ ଡାକ। ସାରା ରାସ୍ତା କେବଳ କାଉଡ଼ିଆମୟ ଦେଖାଯାଏ। ଦଳ ଦଳ ହୋଇ ରାସ୍ତାରେ ଚାଲିଥାନ୍ତି ଏଇ ଗେରୁଆ ବସ୍ତ୍ର ପରିଧାନ କରିଥିବା କାଉଡ଼ିଆ ଭକ୍ତିମାନେ। କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ଆରଡି ରାସ୍ତା ହୋଇଛି ଶ୍ରାବଣରେ ଜନ ଶୂନ୍ୟ। ଚଳିତ ବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ କାଉଡ଼ିଆମାନେ କୌଣସି ଶୈବ ପୀଠକୁ ଜଳ ନେଇ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଆସିବା ପରେ ହଜାର ହଜାର କାଉଡ଼ିଆଙ୍କର ଆଶା ମଉଳି ଯାଇଛି। ଆରଡି ପୀଠକୁ ଏଥର ପବିତ୍ର ନଦୀରୁ ଜଳ ଉଠାଇ ବାବାଙ୍କ ପୀଠକୁ ଆସିବେ ନାହିଁ ଭକ୍ତ। ଏଥର ବି ଶ୍ରବଣ ମାସରେ ଖାଁ ଖାଁ ଲାଗିବ ବାବାଙ୍କ ପୀଠ।
ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ ଶ୍ରାବଣ ମାସରେ ହୋଇଉଠେ ଚଳ ଚଞ୍ଚଳ। ଉତ୍ସବ ମୁଖର ହୁଏ କାଉଡ଼ିଆ ଭକ୍ତଙ୍କ ଲାଗି ପ୍ରତି ସୋମବାରା । ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୁଏ ବାବାଙ୍କ ପୀଠରେ। ଶ୍ରାବଣର ପ୍ରଥମ ସୋମବାରଠାରୁ ଓଡ଼ିଶାର ବିଭିନ୍ନ ନଦୀରୁ ଜଳ ଉଠାଇ କାଉଡିଆ ଭକ୍ତଙ୍କର ଧାଡି ଛୁଟେ ବାବାଙ୍କ ପୀଠକୁ। କାନ୍ଧରେ କାଉଡି ଭାରଧରି ପବିତ୍ର ନଦୀରୁ ଜଳ ଉଠାଇ ଭକ୍ତମାନେ ନିଜ ନିଜ ମାନସିକ ଅନୁଯାୟୀ ଆରଡି ପୀଠକୁ ଆସନ୍ତି। ଆରଡିର ଶିବ ଗଙ୍ଗା ପୁଷ୍କରଣୀରେ ପାଣି ଢାଳି ବାବାଙ୍କର ଦର୍ଶନ କରି ଘରକୁ ଫେରନ୍ତି। ଶ୍ରାବଣର ୪ ସୋମବାର ଏଠି ପ୍ରବଳ ଭିଡ ହୋଇଥାଏ। ଶେଷ ସୋମବାର ଏଠାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ।

କାଉଡ଼ିଆ ଭକ୍ତମାନଙ୍କର ସେବା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବ୍ୟାଉପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ରାତ୍ରୀରେ ବିଭିନ୍ନ ସ୍ଥାନରେ ଅର୍ଣ୍ଣ ପ୍ରସାଦ ପ୍ରଦାନ କରାଯାଇଥାଏ। କେବଳ ପୁରୁଷ ଭକ୍ତ ନୁହେଁ ହଜାର ହଜାର ସଂଖ୍ୟାରେ ମହିଳା ଭକ୍ତ ମଧ୍ୟ ବାବାଙ୍କ ପୀଠକରି ଜଳ ଭାର ଧରି ଆସିଥାନ୍ତି। ଏମାନଙ୍କର ସୁଗମ ଯାତ୍ରା ପାଇଁ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ଆରଡି ପୀଠରେ କୌଣସି ବର୍ଷ କାଉଡିଆଙ୍କ ପାଇଁ କିଛି ବିଶୃଙ୍ଖଳା ହୋଇ ନଥାଏ। ଶୃଙ୍ଖଳିତ ଭାବେ କାଉଡ଼ିଆ ଭକ୍ତମାନେ କିଭଳି ବାବାଙ୍କ ଦର୍ଶନ କରିବେ ସେଥି ପାଇଁ ମନ୍ଦିରର ସେବାୟତ ଓ ପୂଜକମାନେ ସବୁ ପ୍ରକାର ସହଯୋଗ କରିଥାନ୍ତି। ମନ୍ଦିର କମିଟି ପକ୍ଷରୁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ଥାଏ। ଏଇ ଦୁଇ ବର୍ଷ କରୋନା ପାଇଁ ସବୁ କିଛି ମଉଳି ଯାଇଛି।
ବୋଲବମ୍ ଶବ୍ଦରେ ଫାଟି ପଟେ ଆରଡି ପୀଠ। ଭୋଲେ ବାବା ପାର କରେଗା, ଜଟିଆ ବାବା ପାର କରେଗା, ପାର୍ବତୀ ପତି ପାର କରେଗା, ଆରଡି ବାବା ପାର କରେନା ଭକ୍ତଙ୍କର ଏମିତି ଶବ୍ଦ ଏଥର ଶ୍ରାବଣରେ ଶୁଭିବ ନାହିଁ। କାଉଡିଆଙ୍କ ପାଇଁ କାଉଡି, କଳସ, ଗେରୁଆ ବସ୍ତ୍ର, ଗାମୁଛା ବେପାର ମଧ୍ୟ ଭଟ୍ଟା ପଡିବ। ଭଦ୍ରକରେ ଏଇ କାଉଡିଆଙ୍କ ପାଇଁ ପ୍ରତିବର୍ଷ ୫ କୋଟି ଟଙ୍କାର ବେପାର ହୋଇଥାଏ। ଗତ ଦୁଇ ବର୍ଷ ହେଲା କାଉଡ଼ିଆ ଜଳ ଭାର ନେଇ ଶୈବ ପୀଠକୁ ଆସୁନଥିବାରୁ ଏଇ ବେପାର ଜିଲ୍ଲାରେ ଠପ୍ ହୋଇଯାଇଛି।
The post ଆରଡ଼ି ପୀଠରେ କାଉଡ଼ିଆଙ୍କର ଶୁଭିବନି ବୋଲବମ୍ ଡାକ first appeared on Sambad.from ଜିଲ୍ଲା | Sambad https://ift.tt/36H8JA8
0 Comments