ବାଲେଶ୍ବର : ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ଓ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ ମିଳିଛି। ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ବୁଢାବଳଙ୍ଗ ଓ ସୋନ ନଦୀ ଅବବାହିକା ଅଞ୍ଚଳରେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କରିବା ସମୟରେ ଏଠାରେ ପ୍ରାଚୀନ ସହରୀ ସଭ୍ୟତାର ବଳିଷ୍ଠ ପ୍ରମାଣ ମିଳିଛି। ଆଜିକୁ ପ୍ରାୟ ୨୫୦୦ ବର୍ଷ ତଳେ ଦୁର୍ଗାଦେବୀ ପ୍ରାଚୀନ ସହର ବୁଢାବଳଙ୍ଗ ଓ ସୋନ ନଦୀ ଅବବାହିକାର ମଧ୍ୟ ଭାଗରେ ପ୍ରାୟ ୫ କିଲୋମିଟର ପରିଧି ମଧ୍ୟରେ ପରିବେଷ୍ଟିତ ଥିଲା। ଉଭୟ ପାର୍ଶ୍ୱରେ ଗଙ୍ଗାହାର ଓ ପ୍ରସନ୍ନ ନାଳ ଗଡ଼ଖାଇ ଭାବରେ ପ୍ରବାହିତ ହେଉଛି। ଯାହା ବୁଢାବଳଙ୍ଗ ଓ ସୋନ ନଦୀ ସହ ରେମୁଣା ନିକଟରେ ମିଶିଛି। ଉତ୍‌ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଟି ନିର୍ମିତ ଖେଳଣା, ଲୁହାକଣ୍ଟା ଆଦି ମିଳିଛି। ପରବର୍ତ୍ତୀ ଲୌହ ଯୁଗ ସମୟରେ ଏଠାରୁ ଲୁହା ସ୍ଲାଗ୍‌, ଭାଲା ଅଗ୍ରଭାଗ, କଣ୍ଟା ଇତ୍ୟାଦି ସହ କଳା ଓ ଲାଲ ରଙ୍ଗର ମାଟିପାତ୍ର, ଚିକ୍କଣ କଳା ରଙ୍ଗର ମାଟିପାତ୍ର ମଧ୍ୟ ମିଳିଛି।

ଦୁର୍ଗାଦେବୀ ପ୍ରତ୍ନତାତ୍ତ୍ବିକ ଉତ୍‌ଖନନର ପ୍ରଥମ ପର୍ଯ୍ୟାୟରେ ଆଜିକୁ ପ୍ରାୟ ୪୦୦୦ ବର୍ଷ ପୂର୍ବ (ଖ୍ରୀଷ୍ଟପୂର୍ବ ୨୦୦୦)। ପ୍ରଥମ ପର୍ଯ୍ୟାୟ ଉତ୍‌ଖନନରୁ ଓଡ଼ିଶାର ପ୍ରାଚୀନ ସଂସ୍କୃତି ବିକାଶର ପ୍ରାମାଣିକ ତଥ୍ୟ ବିଶେଷ ଭାବେ ମୃଣ୍ମୟ ପାତ୍ର‌, ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର ନକ୍ସା ମିଳିଛି। ଏହା ପୂର୍ବରୁ ଯାଜପୁର ଜିଲ୍ଲାର ରାଧାନଗର, ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ ଓ ତାଳପଡା, ଗଞ୍ଜାମ ଜିଲ୍ଲାର ଜଉଗଡ଼ ଓ ଲାଠି, ପଶ୍ଚିମ ଓଡ଼ିଶାର ଅସୁରଗଡ଼, ବୁଢିଗଡ଼, ତାରପୁରଗଡ଼ରୁ ପ୍ରତ୍ନତାତ୍ତ୍ବିକ ସନ୍ଧାନ ମଳିଛି।

କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାଠାରୁ ଉତ୍‌ଖନନ ପାଇଁ ସ୍ବୀକୃତି ପାଇବାପରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ପ୍ରତ୍ନତତ୍ତ୍ୱବିତ୍ ସୁନୀଲ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୨୦୨୧ ମାର୍ଚ୍ଚରେ ଦୁର୍ଗାଦେବୀଠାରେ ପ୍ରତ୍ନତାତ୍ତିକ ଉତ୍‌ଖନନ କାର୍ଯ୍ୟ ଆରମ୍ଭ ହୋଇ ମେ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା।

ଏ ସଂପର୍କରେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ.ସୁଶାନ୍ତ ବାରିକ କହିଛନ୍ତି, ବାଲେଶ୍ବର ଏକ ବହୁ ପୁରାତନ ସହର। କାରଣ ୨୫୦୦ ବର୍ଷ ପୂର୍ବରୁ ଏଠାରେ ମଣିଷ ବସବାସ କରୁଥିବାର ଅନେକ ତଥ୍ୟପ୍ରମାଣ ମିଳିଛି। ସେ‌ ସମୟରେ ବ୍ୟବହାର କରାଯାଉଥିବା ବିଭିନ୍ନ ପଦାର୍ଥ, ଅସ୍ତ୍ରରୁ ଲୋକମାନଙ୍କ ଚଳଣି ଓ ଜୀବନଶୈଳୀ ଉପରେ ଅଧିକ ଗବେଷଣା ଆବଶ୍ୟକ। ଯାହାଫଳରେ ଅନେକ ଅନାଲୋଚିତ ତଥ୍ୟ ସାମ୍‌ନାକୁ ଆସିପାରିବ।

The post ଦୁର୍ଗାଦେବୀରେ ପ୍ରାଚୀନ ସହରର ସନ୍ଧାନ first appeared on Sambad.

from ଜିଲ୍ଲା | Sambad https://ift.tt/3ylZReG