
ରାଉରକେଲା : ବର୍ଷେ କି ଦୁଇ ବର୍ଷ ନୁହେଁ। ଦେଶ ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ବିଜୁଳି ଆଲୁଅ ଦେଖିଲାନି ସହର ଉପକଣ୍ଠ କାଣ୍ଟେ ବସ୍ତି। ପ୍ରତି ୫ ବର୍ଷରେ ନିର୍ବାଚନ ଆସୁଛି। ରାଜନୈତିକ ଦଳର ନେତାଙ୍କ ପାଦ ପଡୁଛି। ବିଜୁଳି ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। ନିର୍ବାଚନ ପରେ ସମସ୍ତେ ବସ୍ତିର ଦୁଃଖକୁ ପାସୋରି ଯାଉଛନ୍ତି। କେବଳ ରାଜନୈତିକ ଦଳର ନେତା ନୁହେଁ, ଗ୍ରାମୀଣ ବିଜୁଳି ବିଭାଗ ମଧ୍ୟ ସେହି ସମାନ ନୀତି ଆପଣେଇଛି। ଅନ୍ଧାରରେ ଜୀବନ ଅତିବାହିତ କରୁଥିବା ବସ୍ତିବାସିନ୍ଦା ବାରମ୍ବାର ବିଜୁଳି ବିଭାଗ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ପାଖରେ ଏମାନଙ୍କ କଥା ଶୁଣିବାକୁ ଯେମିତି ସମୟ ନାହିଁ। ସବୁଠୁ ନିରାଶ ହେବା ପରେ ବସ୍ତବାସିନ୍ଦା ଭାଗ୍ୟକୁ ଆଦରି ଡିବିରି ଆଲୁଅର ଜୀବନ ଅତିବାହିତ କରୁଛନ୍ତି। ସହର ଉପକଣ୍ଠ ବସ୍ତିର ଏଭଳି ବିକଳ ଚିତ୍ର ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି।

ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି କାଣ୍ଟେ ବସ୍ତି। ମୋଟ ୭୦ରୁ ୮୦ ପରିବାର ରହୁଛନ୍ତି। ଅର୍ଥାତ୍ ବସ୍ତିର ଜନସଂଖ୍ୟା ପ୍ରାୟ ୪୦୦ରୁ ଅଧିକ। ରାଉରକେଲା ସ୍ମାର୍ଟସିଟି ଠାରୁ ମାତ୍ର ୭ କିଲୋମିଟର ଦୂର। ବିଗତ କିଛି ବର୍ଷ ଧରି ରାଉରକେଲା ସ୍ମାର୍ଟସିଟିର ବିକାଶ ବଦଳୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବିଡମ୍ବନା, ସ୍ମାର୍ଟସିଟିକୁ ଲାଗିଥିବା ଏହି ବସ୍ତିର ଲୋକମାନେ ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଅନ୍ଧାରରେ ରହୁଛନ୍ତି। ଗତ ୧୫ ବେର୍ ଧରି ରାଜ୍ୟର ଶାସକ ଦଳର ବିଧାୟକ ନିର୍ବାଚନ ବିଜୟୀ ହୋଇ ଆସୁଛନ୍ତି। ପ୍ରତି ନିର୍ବାଚନରେ ଭୋଟ ହାତେଇବାକୁ ଶାସକ ଦଳର ନେତା ଓ କର୍ମୀଙ୍କ ସୁଅ ଛୁଟୁଛି। ପ୍ରତିଥର ବିଜୁଳି ଆଲୁଅ ଆସିଯିବ ବୋଲି ଆଶ୍ବାସନା ଦେଉଛନ୍ତି। ସେପଟେ ବିଜୁଳି ଆଲୁଅ ନଥିବାରୁ ବସ୍ତିର ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଡିବିରି ଜଳାଇ ପାଠ ପଢ଼ୁଛନ୍ତି।
ଦେଶର ପ୍ରଧାନମନ୍ତ୍ରୀ ଯେଉଁଠି ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖାଉଛନ୍ତି, ସେଠି ଏଭଳି ବସ୍ତିର ଲୋକପାଇଁ ବିଜୁଳି ଯେମିତି ସାତ ସପନ ହୋଇଛି। ଚଳିତ ବର୍ଷ ଯେମିତି ବସ୍ତିବାସିନ୍ଦା ବିଜୁଳି ଆଲୁଅ ଦେଖିବେ ସେଥିପାଇ ପ୍ରୟାସ ଜାରି ରଖିଛନ୍ତି। ବସ୍ତିର ପ୍ରକାଶ ମିଞ୍ଜ, ଶଳେନ୍ଦର ମିଞ୍ଜ, ମରିୟାନୁସ୍ ଲାକ୍ରା, ବିଲିୟମ ଲାକ୍ରା, ସୁରଜ ମିଞ୍ଜ ପ୍ରମୁଖ ବିଜୁଳି ବିଭାଗରେ ପ୍ରାୟ ୩୫ ହଜାର ଟଙ୍କା ଜମା କରିଛନ୍ତି। ତେବେ ବର୍ଷ ବର୍ଷ ଧରି ଅନ୍ଧାରରେ ଦୟନୀୟ ଜୀବନ ଅତିବାହିତ କରୁଥିବା ବସ୍ତିବାସିନ୍ଦାକୁ ବିଜୁଳି ଯୋଗାଇବାରେ ବିଭାଗ କେତେ ତତ୍ପର ହେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।
The post ସହର ଉପକଣ୍ଠ କାଣ୍ଟେ ବସ୍ତି, ଡିବିରି ଆଲୁଅରେ ବିତିଲାଣି ୭୪ ବର୍ଷ first appeared on Sambad.from ଜିଲ୍ଲା | Sambad https://ift.tt/2V7zA5T
0 Comments