ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ ଏବେ ବି ଜାରି ରହିଛି। ପୁଲିସର ଆଣ୍ଟି ନକ୍ସଲ୍ ଅପରେସନ ଟିମ୍‌ ଜଙ୍ଗଲର ବିଭିନ୍ନ ମାଓ କ୍ୟାମ୍ପ୍‌ରେ ଚଢ଼ଉ କରିବା ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ତେବେ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଏବଂ କଣ୍ଟାମାଳ ଜଙ୍ଗଲରେ ମାଓବାଦୀମାନେ ମାତ୍ରାଧିକ ଭାବେ ସକ୍ରିୟ ରହିଛନ୍ତି। ଯାହାକି, ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ଅଞ୍ଚଳରେ ମାଓ ଦମନ ପାଇଁ ପୁଲିସ ନୂଆ ରଣକୌଶଳ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଗତକାଲି ମାଓବାଦୀ ସହ ଗୁଳି ବିନିମୟ ସମୟରେ ଦୁଇ ଜଣ ଏସ୍‌ଓଜି ଯବାନ ଗୁରୁତର ହୋଇଥିଲେ। ଏଥିରେ ଅନେକ ମାଓବାଦୀ ମଧ୍ୟ ଆହତ ହୋଇଥିବା କଥା ପୁଲିସ ଡିଜି ଅଭୟ ଦାବି କରିଥିଲେ। ଗତକାଲିର ଘଟଣା ପରେ ଅଧିକ ସଂଖ୍ୟାରେ ସିଆର୍‌ପିଏଫ୍‌, ଏସ୍‌ଓଜି ଏବଂ କନ୍ଧମାଳ ପୁଲିସବାହିନୀ ଗୋଛାପଡ଼ା ଜଙ୍ଗଲକୁ ପଠାଯାଇଥିଲା। କନ୍ଧମାଳ ଏସ୍‌.ପି ବିନୀତ ଅଗ୍ରୱାଲଙ୍କ ସୂଚନା ଅନୁସାରେ, ଗତକାଲି ରାତି ଓ ଆଜି ଦିନତମାମ୍‌ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏ ସମ୍ପର୍କରେ ସେ ଅଧିକ ସୂଚନା ଦେବାକୁ ମନା କରିଦେଇଛନ୍ତି। ସେହିଭଳି, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ଯେ ସନ୍ଧ୍ୟା ସୁଦ୍ଧା ଯବାନମାନେ ଅପରେନ୍‌ସ୍ଥଳରୁ ଫେରିବା ଆରମ୍ଭ କରିଛନ୍ତି। ମାଓକ୍ୟାମ୍ପ୍‌ରୁ କେଉଁ ସାମଗ୍ରୀ ଜବତ ହୋଇଛି ଏବଂ କେତେ ମାଓବାଦୀଙ୍କ ମୃତାହତ ହୋଇଛନ୍ତି କିମ୍ବା ହୋଇନାହାନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ପୁଲିସକୁ ହସ୍ତଗତ ହୋଇଥିବା ଏକ ଖବର ଅନୁସାରେ, ଗୋଛାପଡ଼ା ଘଞ୍ଚ ଜଙ୍ଗଲର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ସ୍ଥାୟୀ ଚାଳଛପର ଘର ନିର୍ମାଣ କରିବା ସହ ସେଠାରେ ବସବାସ କରୁଛନ୍ତି। ଏହପୂର୍ବରୁ ମାଓବାଦୀମାନେ ବିଭିନ୍ନ ଜନବସତିର ଆଦିବାସୀଙ୍କ ବସ୍ତିରେ ରହୁଥିଲେ। ବର୍ତ୍ତମାନ ପୁଲିସ ଅଧିକ ସକ୍ରିୟ ହୋଇଯିବା ଫଳରେ ସେମାନେ ସ୍ଥାନ ପରିବର୍ତ୍ତନ କରୁଛନ୍ତି। ମାଓବାଦୀମାନେ କନ୍ଧମାଳ ସୀମା ଛାଡ଼ି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସୀମାକୁ ଚାଲିଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।

ଆହତ ଯବାନଙ୍କୁ ଭେଟିଲେ ଡିଜିପି
ଭୁବନେଶ୍ବର : କନ୍ଧମାଳ ଗୋଛାପଡ଼ା ଜଙ୍ଗଲରେ ନକ୍ସଲଙ୍କ ସହ ଏନକାଉଣ୍ଟରରେ ଆହତ ଦୁଇ ଯବାନଙ୍କର ଭୁବନେଶ୍ବରସ୍ଥିତ ଏମ୍‌ସ୍‌ରେ ଚିକିତ୍ସା ଜାରି ରହିଛି। ରବିବାର ପୂର୍ବାହ୍ନରେ ପୁଲିସ ଡିଜି ଅଭୟ ଦୁଇ ଯବାନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହା ସହ ଚିକିତ୍ସା ସମ୍ପର୍କରେ ଡାକ୍ତରୀ ଦଳ ସହ ଆଲୋଚନା ମଧ୍ୟ କରିଛନ୍ତି। ଶ୍ରୀ ଅଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଉଭୟ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛନ୍ତି। ଅନ୍ୟ ପକ୍ଷରେ ଏମ୍‌ସ୍‌ରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମଙ୍ଗଳବାର ଜଣେ ଯବାନଙ୍କର ଅସ୍ତ୍ରୋପଚାର କରାଯାଇ ଗୁଳି ବାହାର କରାଯିବ। ଅନ୍ୟ ଜଣେ ଯବାନଙ୍କର ସ୍ଥିତି ଦେଖି ଅସ୍ତ୍ରୋପଚାର କରାଯିବ। ସୂଚନାଯୋଗ୍ୟ, ଗତକାଲି ଏନକାଉଣ୍ଚରରେ ଦୁଇ ଯବାନ ଆହତ ହେବା ଖବର ପାଇ କୋରାପୁଟ ଗସ୍ତରେ ଥିବା ଡିଜିପି ଅଭୟ ତୁରନ୍ତ ବୌଦ୍ଧରେ ପହଞ୍ଚିଥିଲେ। ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଇ ଭୁବନେଶ୍ବର ଆଣିବା ପରେ ସେମାନଙ୍କୁ ଏମ୍‌ସ୍‌ ନିଆଯାଇଥିଲା।

The post ଗୋଛାପଡ଼ାରେ ପୁଲିସ-ମାଓବାଦୀ ଗୁଳି ବିନିମୟ ଜାରି first appeared on Sambad.

from ଜିଲ୍ଲା | Sambad https://ift.tt/3AS7f3K