
ବରଗଡ଼ : ବରଗଡ଼ ଜେଲ୍ ପୂର୍ବରୁ ବିଭିନ୍ନ କାରଣରୁ ବଦନାମ ରହିଛି। କେତେବେଳେ ଏଠାରେ କଏଦୀ ଗଞ୍ଜେଇ ସହ ଧରାପଡ଼ିଛନ୍ତି ତ କେତେବେଳେ ନକଲି ଆଦେଶପତ୍ର ଦେଖାଇ ଚମ୍ପଟ ମାରିଛନ୍ତି। ଏବେ ପାଣିଆ ଡାଲିକୁ ବିରୋଧ କରିବାରୁ ୨ଜଣ କଏଦୀଙ୍କୁ ଜେଲ୍ କର୍ମଚାରୀ ନିସ୍ତୁକ ପିଟିଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି।
ଏହି ଦୁଇ କଏଦୀ ହେଲେ ବରଗଡ଼ର ଦୀପକ ଗୁପ୍ତା ଏବଂ ଫୁଲବାବୁ ଚୌଧୁରୀ। ଦୁହେଁ ଗୋଟିଏ ମାମଲାର ଅଭିଯୁକ୍ତ ଥିଲେ। ଜାମିନ ନାମଞ୍ଜୁର ହେବାରୁ ଦୁହେଁ ଗତ ୨୦ ଦିନ ହେଲା ଜେଲ୍ରେ ଥିଲେ। ଜେଲ୍ରେ ନିମ୍ନମାନର ଖାଦ୍ୟ ଏବଂ ପାଣିଆ ଡାଲି ମିଳୁଥିବାରୁ ସେମାନେ ଆପତ୍ତି କରିଥିଲେ। ଏଥିରେ ଜେଲ୍ କର୍ମଚାରୀମାନେ ଦୁହିଁଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦୀପକଙ୍କ ମା ପୁଅକୁ ଭେଟିବାକୁ ଜେଲ୍କୁ ଯାଇଥିଲେ। ସେତିକିବେଳେ ସେ ମାଡ଼ମରା ଘଟଣା ଜାଣିବାକୁ ପାଇଥିଲେ। ଏନେଇ ଓକିଲଙ୍କୁ ଖବର ଦେଇଥିଲେ। ଉଭୟଙ୍କ ଓକିଲ ଅନନ୍ତଶୟନ ପାଢ଼ୀ ଏବଂ ରାଜେନ୍ଦ୍ର ପ୍ରସାଦ ସିଂ ଏସ୍ଡିଜେଏମ୍ କୋର୍ଟରେ ପିଟିସନ୍ ଦାଏର୍ କରିଛନ୍ତି। ଜଜ୍ ସମ୍ମୁଖରେ ପୀଡ଼ିତଙ୍କ ବୟାନ ରେକର୍ଡ କରିବାକୁ ଅପିଲ୍ କରାଯାଇଛି। ଅନ୍ୟପକ୍ଷରେ ଜେଲର୍ ଅଂଜଳି ପଟେଲ ପାଲଟା ଅଭିଯୋଗ କରିଛନ୍ତି। ଦୀପକ ଏବଂ ଫୁଲବାବୁ ଜେଲ୍ରେ ଆତଙ୍କରାଜ୍ ସୃଷ୍ଟି କରିଥିଲେ। ଦୁହେଁ କଏଦୀଙ୍କ ଠାରୁ ବିଭିନ୍ନ ସାମଗ୍ରୀ ଚୋରି କରୁଥିଲେ। ଏପରିକି ଜଣେ ଅନ୍ତୋବାସୀଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଜେଲ୍ ଅନ୍ତେବାସୀ ଏବଂ କର୍ମଚାରୀମାନେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଯଦି ସେମାନେ ଜେଲ୍ କର୍ତୃପକ୍ଷଙ୍କ ବିରୋଧରେ ଏତଲା ଦେବେ, ତେବେ ଆମ ପକ୍ଷରୁ ବି ଏତଲା ଦିଆଯିବ ବୋଲି ଶ୍ରୀମତୀ ପଟେଲ ପ୍ରତିକ୍ରିୟାରେ କହିଛନ୍ତି।
The post ପାଣିଆ ଡାଲିକୁ ବିରୋଧ କଲେ ବୋଲି ୨ କଏଦୀଙ୍କୁ ନିସ୍ତୁକ ପିଟିଲେ ଜେଲ୍ କର୍ମଚାରୀ! first appeared on Sambad.from ଜିଲ୍ଲା | Sambad https://ift.tt/2TVddjF
0 Comments