
ବୀରମିତ୍ରପୁର: ଗତ ୭ ତାରିଖ ଭାରତ ସରକାରଙ୍କ ସଂସ୍ଥା ଦିପମ୍ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଶାଖାପଟନମ ଷ୍ଟିଲ୍ ପ୍ଲାଣ୍ଟରୁ ସମ୍ପୂର୍ଣ୍ଣ ପୁଞ୍ଜି ପ୍ରତ୍ୟାହାର କରିବାକୁ ଆଇନ୍ ସଂସ୍ଥାର ସହାୟତା ଲୋଡ଼ିବାକୁ ଏକ ବିଜ୍ଞାପନ ପ୍ରକାଶ କରିଛି। ପୁଞ୍ଜି ପ୍ରତ୍ୟାହାର ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିବାର ଏହା ଏକ ପ୍ରୟାସ। କେବଳ ବିଶାଖାପଟନମ୍ ଷ୍ଟିଲ୍ ପ୍ଲାଣ୍ଟ ନୁହେଁ, ଏହାର ମିଳିତ ଉଦ୍ୟୋଗ ଓ ସହଯୋଗୀ ଉଦ୍ୟୋଗ ଉପରେ ନିର୍ଣ୍ଣୟାତ୍ମକ ଉପଦେଶ ଆସିବାର ଅଛି। ଏହାଦ୍ୱାରା ଓଡ଼ିଶାର ଦୁଇଟି ଖଣି ଉଦ୍ୟୋଗ ବିଶେଷ ଭାବେ ପ୍ରଭାବିତ ହେବ। ବୀରମିତ୍ରପୁର ସ୍ଥିତ ବିଏସ୍ଏଲ୍ ଓ ବଡ଼ବିଲସ୍ଥିତ ଓଏମ୍ଡିସି।
ସମୟ ଆସିଛି ଏହି ଦୁଇଟି ଓଡ଼ିଶା କମ୍ପାନିର ଭାଗ୍ୟ ନିର୍ଦ୍ଧାରଣ କରିବ। ଅନେକ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ମାନଙ୍କ ମତ। ହେଇପାରେ ଉଭୟ କମ୍ପାନିର ଅଂଶଧନ ବଡ଼ ବେସରକାରୀ ସଂସ୍ଥା ନିକଟକୁ ଯାଇପାରେ, କିମ୍ବା କୌଣସି ସରକାରୀ ଉଦ୍ୟୋଗ ସହିତ ମିଶ୍ରଣ ହେଇ ପାରେ। ସମ୍ଭାବନା ଭିତରେ ଦୃଶ୍ୟମାନ ହୁଏ ନୂତନ ଏକ ବୀରମିତ୍ରପୁର ସହର। ଚୂନପଥର ପ୍ରଚୁର ପରିମାଣର ଥିବାରୁ ସିମେଣ୍ଟ ପ୍ଲାଣ୍ଟ୍ ଗଢ଼ି ଉଠିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନପାରେ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ କିମ୍ବା ଏନ୍ଏମ୍ଡିସି ସହିତ ମିଶ୍ରଣ ହେବା ସମ୍ଭାବନା ମଧ୍ୟ ରହିଛି।ଏମିତି ଅନେକ କଳ୍ପନାଜଳ୍ପନାର ଏକ ଦ୍ବନ୍ଦ୍ବ ଭିତରେ ୧୧୧ ବର୍ଷର ସହର ବୀରମିତ୍ରପୁର ଗତି କରୁଛି। ଇଂରେଜଙ୍କ ଦ୍ବାରା ସ୍ଥାପନ କରା ହେଇଥିବା ଏହି ସହର ଅନେକ ସ୍ମୃତି ବହନ କରିଛି।
ଅତୀତରେ ବିଭିନ୍ନ ଉଦ୍ୟୋଗ ଯଥା ସେଲ୍, କୋଲ୍ ଇଣ୍ଡିଆ ଓ ଅନେକ ପ୍ରମୁଖ ଉଦ୍ୟୋଗରୁ କର୍ମଚାରୀ ବିଏସ୍ଏଲ୍ କମ୍ପାନିରେ ଯୋଗଦାନ କରିବାକୁ ଲାଳାୟିତ ଥିଲେ। ୧୫୦୦୦ ଶ୍ରମିକଙ୍କୁ ରୋଜଗାର ଦେଉଥିବା କମ୍ପାନି ଧିରେ ଧିରେ ଅବକ୍ଷୟ ଆଡକୁ ମୁହେଁଇ ଥିଲା। ଚୂନପଥର ଓ ଡୋଲୋମାଇଟ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ବଜାର ମୂଲ୍ୟ ବଢି ନପାରିବା କମ୍ପାନିକୁ ଅଧୋପତନ ଆଡକୁ ଠେଲି ଦେଇଥିଲା। ବୀରମିତ୍ରପୁର ସହରର ବୈଭବ ଅନେକଙ୍କୁ ହତଚକିତ କରେ। ଓଡ଼ିଶାର ପ୍ରଥମ କମ୍ପ୍ୟୁଟର ଓ ଏୟାରକଣ୍ଡିସନର ବୀରମିତ୍ରପୁରରେ ହିଁ ଥିଲା। ଭାରତର କୋଣ ଅନୁକୋଣ ତଥା ବିଦେଶକୁ ଚୂନପଥର ରପ୍ତାନି କରୁଥିଲା ଏହି ବିଏସ୍ଏଲ୍। ଯାହା କି ସିମେଣ୍ଟ ଆବିଷ୍କାର ହେବା ପୂର୍ବରୁ ଗୃହନିର୍ମାଣରେ ବ୍ୟବହାର କରା ଯାଉଥିଲା। ସୁନ୍ଦରଗଡ଼ ଜିଲ୍ଲାର ସର୍ବ ପ୍ରଥମ ଉଦ୍ୟୋଗର ଭାଗ୍ୟ ନିର୍ଦ୍ଧାରଣକୁ ବୀରମିତ୍ରପୁରବାସୀ ଉତ୍କଣ୍ଠାର ସହ ଅପେକ୍ଷା କରି ବସିଛନ୍ତି।
The post ନୂଆ ଭବିଷ୍ୟତ ଅନ୍ବେଷଣରେ ବିଏସ୍ଏଲ୍ first appeared on Sambad.from ଜିଲ୍ଲା | Sambad https://ift.tt/3e2LhBc
0 Comments