
ହରିଚନ୍ଦନପୁର : ସାମାନ୍ୟ କହଳରୁ ସ୍ବାମୀର ଗୋଇଠା ମାଡ଼ରେ ଜଣେ ଗର୍ଭବତୀ ସ୍ତ୍ରୀଙ୍କର ଜୀବନ ଯାଇଛି। ସେ ହେଉଛନ୍ତି ହରିଚନ୍ଦନପୁର ଥାନା ଧୁରୁଡ଼ିଆମ୍ବ ଗ୍ରାମ ମଧୁସାହିର ଜିରା ମୁଣ୍ଡା (୩୨)। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଧୁସାହିର ମାନ ମୁଣ୍ଡା(୩୫) ୧୩ ବର୍ଷ ତଳେ କରଡ଼ାପାଳର ଜିରା ମୁଣ୍ଡାଙ୍କୁ ପ୍ରେମ ବିବାହ କରିିଥିଲେ। ଜିରା ଅନେକ ସମୟରେ ବାପ ଘରକୁ ଚାଲି ଯାଉଥିବାରୁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ସେମାନଙ୍କର ଦୁଇଟି ପୁଅ ଓ ୫ଟି ଝିଅ ଅଛନ୍ତି। ଜିରା ଏବେ ପ୍ରାୟ ୬ ମାସର ଗର୍ଭବତୀ ଥିଲେ। ଗତକାଲି ରାତିରେ କୌଣସି କାରଣରୁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମାନ ମୁଣ୍ଡା ଜିରାଙ୍କୁ ବିଧାଗୋଇଠା ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ଜିରାଙ୍କ ଭାଇ ଜିଗରାଇ ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ସୁସ୍ମିତା ଦେବତା, ଏଏସଆଇ ଅମରେଶ ଚନ୍ଦ୍ର ବାରିକ ପ୍ରମୁଖ ଆଜି ସକାଳେ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ। ଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ୮୭/୨୧ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମା’ଙ୍କ ମୃତ୍ୟୁ ପରେ ବାପା ଜେଲ ଯାଇଥିବା ବେଳେ ୭ଜଣ ଯାକ ପିଲା ଏବେ ଅସହାୟ ହୋଇପଡ଼ିଛନ୍ତି।
The post ଗୋଇଠା ମାଡ଼ରେ ଗର୍ଭବତୀ ପତ୍ନୀଙ୍କ ଜୀବନ ଗଲା, ଅଭିଯୁକ୍ତ ସ୍ବାମୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3repOux
0 Comments