ବାଲେଶ୍ବର : ଦୁଇ ଦିନରେ ୧୬ ଜଣଙ୍କର ମୃତ୍ୟୁ। ଯଦିଓ ସଂକ୍ରମଣ ହାର ପୂର୍ବାପେକ୍ଷା କମିଛି, କିନ୍ତୁ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଲାଣି। କଟକଣା ଟିକେ କୋହଳ ହେଲା ବେଳକୁ ବାଲେଶ୍ବର ଜିଲ୍ଲାରେ ମହାମାରୀ କରୋନାର ଏଭଳି ସ୍ଥିତି ପୁଣି ଏକ ବଡ଼ ବିପର୍ଯ୍ୟୟ ଆଡ଼କୁ ଇଙ୍ଗିତ କରୁଛି। ତେବେ ପ୍ରଶାସନ ଓ ପୁଲିସର ଢିଲାପଣ ସାଙ୍ଗକୁ ଅମାନିଆଙ୍କ ପାଇଁ ସ୍ଥିତି ବେକାବୁ ହେବାର ସମ୍ଭାବନା ଦେଖାଦେଇଛି।

ଜିଲ୍ଲାରେ ଆଜିଠାରୁ କଟକଣା ଆଂଶିକ କୋହଳ ହେଇଥିବା ବେଳେ ଦୋକାନ ବଜାରରେ ଭିଡ଼ ଚିନ୍ତା ବଢ଼ାଇଛି। ସାମାଜିକ ଦୂରତା ବଜାୟ ରଖିବା ଦୂରେ ଥାଉ, ଲୋକେ ମୁହଁରେ ମାସ୍କ ମଧ୍ୟ ପିନ୍ଧୁନାହାନ୍ତି। ଉଦ୍‌ବେଗର ବିଷୟ ହେଉଛି, ଦୁଇ ଦିନରେ ଜିଲ୍ଲାରୁ ୩୪୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ, ଗତକାଲି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୮ ଜଣଙ୍କର ଜୀବନ ନେଇଛି କରୋନା। ଜିଲ୍ଲାରେ ଗତ ଏପ୍ରିଲରୁ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଛି। ସେହି ମାସରେ ୨ ହଜାର ୬୩ ଜଣ ସଂକ୍ରମିତ ହୋଇଥିଲେ ମଧ୍ୟ କାହାର ମୃତ୍ୟୁ ହୋଇ ନଥିଲା। ତେବେ ମେ ମାସରେ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହି ମାସରେ ୯ ହଜାର ୭୭୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ଜୁନରେ ୯ ହଜାର ୧୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଚଳିତ ମାସ ଆଜି ସୁଦ୍ଧା ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଆଜି ଜିଲ୍ଲାରୁ ନୂଆ ୧୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୪ ଜଣ ସହରାଞ୍ଚଳରୁ ହୋଇଥିବା ବେଳେ ଅବଶିଷ୍ଟ ଗ୍ରାମାଞ୍ଚଳର ସଂକ୍ରମିତ। ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୩୬ ହଜାର ୪୩୭ ସଂକ୍ରମିତ ମଧ୍ୟରୁ ୩୪ ହଜାର ୫୦୮ ଜଣ ସୁସ୍ଥ ହୋଇଛନ୍ତି। ୧ ହଜାର ୭୬୮ ଜଣ ଚିକିତ୍ସାଧୀନ ଥିବାବେଳେ ମୃତ୍ୟୁସଂଖ୍ୟା ୧୪୮ରେ ପହଞ୍ଚିଛି। ସଂକ୍ରମଣ ଉପରମୁହାଁ ଥିବା ବେଳେ ବାଲେଶ୍ବର ଜିଲ୍ଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭ୍ରାମ୍ୟମାଣ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇ ପାରିଲାନାହିଁ। ସେମିତି ଚାହିଦା ମୁତାବକ ଟିକା ବି ମିଳୁନାହିଁ। ୧୦ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଟିକା ନେବାକୁ ଥିବା ବେଳେ ଆଜି ସୁଦ୍ଧା ପାଖାପାଖି ସାଢ଼େ ଚାରିଲକ୍ଷ ଲୋକ ଟିକା ନେଇଛନ୍ତି। ଟିକା ପାଇଁ ବିଭିନ୍ନ ସ୍ଥାନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ପରିସ୍ଥିତିରେ କୋହଳ କଟକଣା ଆଗକୁ ଆହୁରି ବିପଦ ସୃଷ୍ଟି କରିପାରେ ବୋଲି ମତପ୍ରକାଶ ପାଇଛି।

The post ବାଲେଶ୍ବରରେ ପୁଣି କରୋନା ଉପରମୁହାଁ: ୨ ଦିନରେ ୩୪୪ ସଂକ୍ରମିତ, ୧୬ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/2TjdjkU