
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଜଙ୍ଗଲ ଥରୁଛି। ୪୮ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପୁଲିସ୍-ମାଓବାଦୀ ଗୁଳି ବିନିମୟ ଜାରି ରହିଛି। ଅପରେସନ୍ରେ ପୁଲିସ୍ ଅଧିକ ଫୋର୍ସ ମୁତୟନ କରି ଉଭୟ କନ୍ଧମାଳ ଓ କଳାହାଣ୍ଡି ପଟୁ କମ୍ବିଂ ଓ ତଲାସୀ ଅଭିଯାନକୁ ଜୋର୍ଦାର୍ କରିଛି। ତଲାସୀ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅପରେସନ୍ ବହୁ ମାଓବାଦୀ ଆହତ ହୋଇଥିବା କନ୍ଧମାଳ ଏସ୍ପି ଭିନୀତ୍ ଅଗ୍ରୱାଲ୍ କହିଛନ୍ତି।
ଅପରେସନ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଏସ୍ପି କହିଛନ୍ତି, ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଧୁବୁସର ଜଙ୍ଗଲରେ ୨୦ରୁ ୨୫ ଜଣ ମାଓବାଦୀଙ୍କ ଏକ ବଡ଼ ପଲଟଣ କ୍ୟାମ୍ପ୍ କରିଥିବା ପୁଲିସ ସୂଚନା ପାଇଥିଲା। ପୁଲିସ ପକ୍ଷରୁ ସିଆର୍ପିଏଫ୍, ଏସ୍ଓଜି, ଡିଭିଏଫ୍ ଏବଂ କନ୍ଧମାଳ ପୁଲିସକୁ ନେଇ ଗଠିତ ଆଣ୍ଟି ନକ୍ସଲ୍ ଅପରେସନ୍ ଟିମ୍ ଗତ ୯ ତାରିଖରେ ଚଢ଼ଉ କରିବା ସହ ଗୋଚ୍ଛାପଡ଼ା ଜଙ୍ଗଲରେ କମ୍ବିଂ ଅପରେସନ୍ ଜୋରଦାର କରିଥିଲେ। ପୁଲିସର କମ୍ବିଂ ଅପରେସନ୍ବେଳେ ମାଓବାଦୀମାନେ ଆକ୍ରମଣାତ୍ମକ ହୋଇ ଉଠିଥିଲେ ଏବଂ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ଆଡୁ ମଧ୍ୟ ପାଲଟା ଜବାବ୍ ଦିଆଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ୪୮ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି। ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ଦୁଇ ଜଣ ଏସ୍ଓଜି ଯବାନ ଏବେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଏସ୍.ପି କହିଛନ୍ତି। ଗୋଚ୍ଛାପଡ଼ା ଜଙ୍ଗଲକୁ ଅଧିକ ସଂଖ୍ୟାରେ ସିଆର୍ପିଏଫ୍, ଏସ୍ଓଜି ଏବଂ କନ୍ଧମାଳ ପୁଲିସ ବାହିନୀ ପଠାଯାଇଛି। ସେଠାରେ କମ୍ବିଂ ଅପରେସନ ଜୋର୍ଦାର୍ କରାଯାଇଥିବା ଏସ୍ପି କହିଛନ୍ତି।
ଅନ୍ୟ ଏକ ଖବର ଅନୁସାରେ, ଗୋଛାପଡ଼ା ଘଞ୍ଚ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ମାଓବାଦୀ ସ୍ଥାୟୀ ଚାଳଛପର ଘର ନିର୍ମାଣ କରି ସେଠାରେ ବାସ କରୁଥିବା କଥା ମଧ୍ୟ ପୁଲିସ ସୂଚନା ପାଇଛି। ବର୍ତ୍ତମାନ ପୁଲିସ ଅଧିକ ସକ୍ରିୟ ହୋଇଯିବା ଫଳରେ ଏବେ ମାଓବାଦୀମାନେ କନ୍ଧମାଳ ସୀମା ଛାଡ଼ି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସୀମାକୁ ଚାଲି ଯାଇଛନ୍ତି। ଉଭୟ ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାକୁ ଲାଗି ରହିଥିବା ଗୋଛାପଡ଼ା, କଣ୍ଟାମାଳ ଜଙ୍ଗଲରେ ମାଓବାଦୀମାନେ ସକ୍ରିୟ ଥିବାରୁ ଏହା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ସୂଚନାଯୋଗ୍ୟ, ଗତ ୬ ମାସ ମଧ୍ୟରେ ଗୋଛାପଡ଼ା ଜଙ୍ଗଲରେ ୬ ଥର ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଲାଣି। ଏହାସତ୍ତ୍ବେ ମାଓବାଦୀ ପଛକୁ ହଟିବାର ନାଁ ଧରୁନାହାନ୍ତି।
The post ମାଓବାଦୀ ବିରୋଧରେ ବଡ଼ ଅପରେସନ୍: ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ବହୁ ମାଓବାଦୀ ଆହତ first appeared on Sambad.from ଜିଲ୍ଲା | Sambad https://ift.tt/36tMtcR
0 Comments