ରାୟଗଡ଼ା : କରୋନା ମହାମାରୀ ପାଇଁ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ରଥ ଟଣା ପାଇଁ ଅନୁମତି ମିଳିନି। କେବଳ ମନ୍ଦିର ଭିତରେ ନୀତିକାନ୍ତି କରିବାକୁ ପ୍ରଶାସନ ଅନୁମତି ଦେଇଥିବାରୁ ବଡ଼ଦାଣ୍ଡରେ ଗଡ଼ି ପାରିନି ପ୍ରଭୁଙ୍କ ରଥ। ଠାକୁର ଦର୍ଶନ ଓ ରଥଟଣାରୁ ଭକ୍ତ ବଞ୍ଚିତ ହେବା ପରେ ଜଣେ ନବମ ଶ୍ରେଣୀର ଛାତ୍ର ତିଆରି କରିଥିବା ରଥଙ୍କୁ ଟାଣି ମନକୁ ବୁଝାଇଛନ୍ତି ଭକ୍ତ।

ରାୟଗଡ଼ା ସହରର ବ୍ରାହ୍ମଣ ସାହିର ସନ୍ତୋଷ ଦାଶଙ୍କ ପୁତ୍ର ଦେବାଶିଷ ଦାଶ। ନବମ ଶ୍ରେଣୀରେ ସରସ୍ୱତୀ ଶିଶୁ ମନ୍ଦିରରେ ପଢ଼ୁଥିବା ଦେବାଶିଷ ଟେଲିଭିଜନରେ ଛୋଟ ପିଲା ରଥ ନିର୍ମାଣ କରୁଥିବା ଦେଖି ନିଜେ ରଥ ତିଆରି ପାଇଁ ଉଦ୍ୟମ କରିଥିଲେ। ଚଳିତ ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ ସାରି ଟାଣିବାକୁ ମନସ୍ଥ କରି ଲାଗି ପଡ଼ିଲେ ନିର୍ମାଣ କାର୍ଯ୍ୟରେ। ଦୁଇ ମାସର ପରିଶ୍ରମ ପରେ ଦେବାଶିଷଙ୍କ ହାତର ସ୍ପର୍ଶରେ ବାଉଁଶ, ସୋଲ ଓ କାଗଜ ଖୋଳ ସାହାଯ୍ୟରେ ତିଆରି ହେଲା କୁନି ରଥ। ରଥ ସହ ଚାରମାଳ, କଳା ଓ ଧଳା ଘୋଡ଼ା, ରଥ ଦଉଡି ମଧ ତିଆରି କରିଥିଲେ ଦେବାଶିଷ। ଏହି କୁନି ରଥ ପୁରୀ ରଥର ଅବିକଳ ନକଲ ଭଳି। ରଥରେ ଚତୁର୍ଦ୍ଧାମୂର୍ତ୍ତି ଶୋଭା ପାଉଥିବାରୁ ରଥ ଦେଖିବାକୁ ଆସୁଥିବା ଭକ୍ତ ସୁନ୍ଦର କାରୁକାର୍ଯ୍ୟକୁ ଦେଖି ବିଭୋର ହୋଇ ପଡୁଛନ୍ତି।

ପବିତ୍ର ରଥଯାତ୍ରା ଅବସରରେ ବ୍ରାହ୍ମଣ ସାହିର ପିଲାମାନେ ଏକାଠି ହୋଇ ରଥ ପ୍ରତିଷ୍ଠା କରିବା ପରେ ପହଣ୍ଡି କରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥାରୂଢ଼ କରିଥିଲେ। ଛେରା ପହଁରା ନୀତି ପରେ ଚାରମାଳ ଫିଟାଯାଇ ଅଶ୍ଵ ଜଚା ଯିବା ପରେ ରଥକୁ ଛୋଟ ଛୋଟ ପିଲାମାନେ ଟାଣିଥିଲେ। ଘଣ୍ଟ ନାଦ ସହ ହରିବୋଲ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା ସ୍ଥାନୀୟ ଅଞ୍ଚଳ। ଶ୍ରଦ୍ଧା ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଜଗନ୍ନାଥଙ୍କ ରଥ ସିନା ଗଡିଲାନି ହେଲେ ଦେବାଶିଷ ତିଆରି କରିଥିବା କୁନି ରଥ ବେଶ୍ ଜାକଜକମରେ ଭକ୍ତଙ୍କ ଗହଣରେ ଦାଣ୍ଡରେ ଗଡ଼ିଛି।

The post ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଗଡ଼ିଲାନି ରଥ, କୁନି ରଥ ଟାଣି ମନ ବୁଝାଇଲେ ଭକ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3ebwJz8