
ରଣପୁର : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୭ ନମ୍ବର ୱାର୍ଡ ସୁଆସିଆଁ ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ୱାର୍ଡରେ ସ୍ବାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ସ୍ତ୍ରୀ ନିଜେ ବିଷ ପିଇବା ସାଙ୍ଗକୁ ନିଜର ୭ ବର୍ଷର କୁନି ଝିଅକୁ ବିଷ ପିଆଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଝିଅର ମୃତ୍ୟୁ ଘଟିଛି। ଅପର ପକ୍ଷେ, ସ୍ତ୍ରୀ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଯାଇଛି।
ଖବର ନେବାରେ ଜଣାଯାଇଛି, ଗତ ମେ ମାସ ୧୬ ତାରିଖରେ ରଣପୁର ଏନ୍ଏସି ସୁଆସିଆଁସାହିରେ ପୁଲିସ ଭୟରେ ପୋଖରୀରେ ବୁଡ଼ି ସନ୍ତୋଷ ପ୍ରଧାନ ନାମକ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେବେ ବୁଧବାର ସନ୍ତୋଷଙ୍କ ଝିଅ ଖୁସି ପ୍ରଧାନ (୭) ସବୁଦିନ ଭଳି ସକାଳ ୯ ଟାରେ ପାଠ ପଢ଼ିବାକୁ ଟିୟୁସନ ଯାଇଥିଲା। ତେବେ ପାଠପଢ଼ି ଘରକୁ ଫେରିବା ପରେ ଖୁସିକୁ ସନ୍ତୋଷଙ୍କ ବିଧବା ସ୍ତ୍ରୀ ଦୀପା ପ୍ରଧାନ (୨୭) ଏକ ଫ୍ରୁଟିରେ କୀଟନାଶକ ଔଷଧ ଦାନାଦାର ପିଆଇ ନିଜେ ମଧ୍ୟ ପିଇଥିଲେ। କିଛି ସମୟ ପରେ ଉଭୟ ସଂକଟାପନ୍ନ ହେବା ପରେ ପାଟିଶୁଣି ପଡ଼ୋଶୀ ଲୋକେ ଘର ଭିତରକୁ ଦୌଡ଼ି ଆସିଥିଲେ। ଉଭୟ ମା’ ଓ ଝିଅଙ୍କୁ ଉଦ୍ଧାର କରି ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ବେଳେ ବାଟରେ ଖୁସିର ମୃତ୍ୟୁ ଘଟିଥିଲା। ତେବେ ଦୀପା ଏବେ ଅତି ସଂକଟାପନ୍ନ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଯାଇଛି। ତେବେ ଖୁସିର ମୃତ ଶରୀର ମନ୍ଦାକିନୀ ନଦୀପଠାରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି।
The post ସ୍ୱାମୀ ମୃତ୍ୟୁରେ ମ୍ରିୟମାଣ ସ୍ତ୍ରୀ ଝିଅକୁ ମାରି ନିଜେ ବିଷ ପିଇଲେ first appeared on Sambad.from ଜିଲ୍ଲା | Sambad https://ift.tt/3qResfV
0 Comments