
ରାୟଗଡା: କଂସାରୀଗୁଡାରେ ଆଲୁମିନା କଂପାନି ପ୍ରତିଷ୍ଠା ଲାଗି ପୁଣି ଥରେ ଦାବି ଦୋହରାଇଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ କଂପାନି ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା କରିଛନ୍ତି। ଜମି ଅଧିଗ୍ରହଣକୁ ୧୬ ବର୍ଷ ବିତିଥିଲେ ମଧ୍ୟ କଂପାନି ପ୍ରତିଷ୍ଠା ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ଜମିହରା ବିସ୍ଥାପିତ ଦୁର୍ଦିନରେ ଦିନ କାଟୁଛନ୍ତି। କଂପାନି ପ୍ରତିଷ୍ଠା ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳର ବିକାଶ ହେବ ବୋଲି ସ୍ମାରକପତ୍ରରେ ସାଂସଦ ଉଲ୍ଲେଖ କରିଛନ୍ତି। ନଚେତ୍ ଜମି ଫେରାଇ ଦେବାକୁ ଚେତାବନୀ ଦିଆଯାଇଛି।
କଂସାରୀଗୁଡାରେ କଂପାନି ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ କାଶୀପୁର, ଲକ୍ଷ୍ମୀପୁର ଓ ରାୟଗଡ଼ା ତହସିଲରୁ ୨ ହଜାରରୁ ଉର୍ଧ୍ବ ଜମି ଅଧିଗ୍ରହଣ କରିଥିଲା। ଯାହା ମଧ୍ୟରେ ବେସରକାରୀ ଜମି ୧୦୩୬ ହେକ୍ଟର ଏବଂ ବଳକା ସରକାରୀ ଜମି ରହିଛି। କାଶୀପୁର ତହସିଲର ପୁହୁଣ୍ଡି ମୌଜାରୁ ୩୦୦ ହେକ୍ଟର, କଂସାରିଗୁଡା ମୌଜାରୁ ୪୯୮ ହେକ୍ଟର, ଫୁଲଜବା ମୌଜାରୁ ୨୯୯ ହେକ୍ଟର, ପୋଡାପାଡ଼ି ମୌଜାରୁ ୩୬ ହେକ୍ଟର, କିନ୍ଦିରିପଦର ମୌଜାରୁ ୧୨୭ ହେକ୍ଟର ଜମି ଅଧିଗ୍ରହଣ ହୋଇଛି।
ଜମି ଅଧିଗ୍ରହଣ ସରିବା ପରେ ରାଜ୍ୟ ସରକାରଙ୍କ ସହ ହିଣ୍ଡାଲକୋ କଂପାନି ୨୦୦୫ ମସିହାରେ କଂପାନି ପ୍ରତିଷ୍ଠା ଲାଗି ଏମଓୟୁ ସ୍ବାକ୍ଷର କରିଥିଲା। କିନ୍ତୁ ୨୦୧୫ ମସିହା ପର୍ଯ୍ୟନ୍ତ କଂପାନି ପ୍ରତିଷ୍ଠା ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ ମାଟି ମୁଠାଏ ପଡ଼ିଲା ନାହିଁ। ଓଲଟା ଅଧିଗ୍ରହଣ ଜମିରୁ ମାଟି ଖୋଳି ନେଇ କଂପାନି ରେଳ ଲାଇନ୍ ତିଆରି କରିଥିଲା। ଫଳରେ ଅଧିଗ୍ରହଣ ହୋଇଥିବା ଜମିରେ ଏବେ ୫୦ ଫୁଟର ଗର୍ତ ସୃଷ୍ଟି ହୋଇଛି। ଯେଉଁଥି ପାଇଁ ଚାଷ ତ ଦୂରର କଥା ଗୃହପାଳିତ ପ୍ରାଣୀମାନେ ମଧ୍ୟ ଏହି ଜମିକୁ ଚରିବାକୁ ଯାଇ ପାରୁନାହାନ୍ତି।
ବିଭିନ୍ନ ସମସ୍ୟା ଦେଖାଇ କଂପାନି କନଷ୍ଟ୍ରକସନ୍ କାମ ବିଳମ୍ବ କରିବା ପରେ ସରକାର ୨୦୧୭ ପର୍ଯ୍ୟନ୍ତ ଏମଓୟୁ ଅବଧିକୁ ବଢ଼ାଇଥିଲେ। ହେଲେ କୌଣସି ସୁଫଳ ମିଳିଲା ନାହିଁ। ରାଜ୍ୟରେ କଂପାନି ପ୍ରତିଷ୍ଠା ପାଇଁ ସବୁଠି ବିରୋଧର ସ୍ବର ଉଠୁଥିବା ବେଳେ କଂସାରୀଗୁଡା ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କ ସଂପୂର୍ଣ୍ଣ ସମର୍ଥନ ରହିଛି। ଏହା ସତ୍ତ୍ବେ କଂପାନି ଦିନ ଗଡ଼ାଇ ଚାଲିଛି।
୨୦୨୦ ଜାନୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂସାରିଗୁଡା ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଘୋଷଣା କରିବା ସହ କଂପାନି ଦ୍ବାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ୨୦୨୧ର ଅଧା ବର୍ଷ ସରିଲାଣି। କିନ୍ତୁ କଂପାନି ପ୍ରତିଷ୍ଠା ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନି। ଜମି ହରାଇବା ପରେ ବିସ୍ଥାପିତ ପରିବାର ଚଳିବା ନେଇ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସାଂସଦ ଶ୍ରୀ ଉଲାକା ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ତୁରନ୍ତ କଂପାନି ପ୍ରତିଷ୍ଠା କରି କର୍ମ ନିଯୁକ୍ତି ଯୋଗାଇ ଦେବାକୁ ସାଂସଦ ଦାବି କରିଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ରତ୍ନମଣି ଉଲାକା, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲା କଂଗ୍ରେସ ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ସଂପାଦକ ପାର୍ଥ ବର୍ଧନ ପ୍ରମୁଖ ଉପସ୍ଥିତ ଥିଲେ।
The post କଂସାରିଗୁଡ଼ାରେ କମ୍ପାନି ପ୍ରତିଷ୍ଠା ପ୍ରସଙ୍ଗ: ଦାବି ଦୋହରାଇଲେ ସାଂସଦ first appeared on Sambad.from ଜିଲ୍ଲା | Sambad https://ift.tt/3qGQlR1
0 Comments