ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାଲାଣ ହେଉଥିବା ୬ଟି ଚିପ୍ସ ବୋଝେଇ ଗାଡ଼ିକୁ ଆଜି ଜବତ କରାଯାଇଛି। ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ଆରୁହା, ବରଡ଼ା ଓ ଚଢ଼େଇଧରା ନିକଟରେ ସଦଳବଳ ଚଢ଼ଉ କରି ଚିପ୍ସ ବୋଝେଇ ୩ଟି ହାଇୱା ଓ ୩ଟି ଟିପରକୁ ଜବତ କରିଥିଲେ। ଚାଳକମାନେ ଆବଶ୍ୟକ ୱାଇ ଫର୍ମ କିମ୍ବା କ୍ରସର ବିଲ୍ ଦେଖାଇ ନପାରିବାରୁ ଗାଡ଼ିଗୁଡ଼ିକୁ ଜବତ କରାଯାଇଥିଲା।

ଚଢ଼ଉରେ ଆରଆଇ ସୁପରଭାଇଜର ନୀଳମଣି ବିଶ୍ବାଳ, ଆରଆଇ ସୁଶାନ୍ତ କୁମାର ସ୍ବାଇଁ, ସୁନିଲ ନାୟକ, ଏଆରଆଇ ନିର୍ମଳ ପଣ୍ତା ଓ ପୁଲିସ୍‌ କର୍ମଚାରୀ ସାମିଲ ହୋଇଥିଲେ। ଜବତ ଗାଡ଼ିଗୁଡ଼ିକୁ ଚଣ୍ତିଖୋଲ ଫାଣ୍ତିରେ ଅଟକ ରଖାଯାଇଥିବା ଅତିରିକ୍ତ ତହସିଲଦାର ଶ୍ରୀମତୀ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କଳାପଥର, ଚିପ୍ସ, ମାଟି, ମୋରମ୍, ବାଲି ଆଦି ଲଘୁଖଣିଜ ସାମଗ୍ରୀର ଚୋରାଚାଲାଣ ରୋକିବା ପାଇଁ ତହସିଲ ଓ ଥାନା ପକ୍ଷରୁ ବାରମ୍ବାର ଚଢ଼ଉ, ଗିରଫଦାରୀ, ଗାଡ଼ି ଜବତ, ଜରିମାନା ଆଦାୟ ଏବଂ ୧୪୪ଧାରା ଜାରି କରାଯାଉଥିଲେ ମଧ୍ୟ ଏହା ମାଫିଆଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ। ପ୍ରଶାସନ ପକ୍ଷରୁ ଏହି ବେଆଇନ କାରବାରକୁ ରୋକିବା ପାଇଁ ଯେତେ ଚଢ଼ଉ କରାଯାଉଛି, ମାଫିଆମାନେ ପ୍ରଶାସନ ଓ ପୁଲିସ୍‌କୁ ଚ୍ୟାଲେଞ୍ଜ ଦେଇ ସେତେ ଲୁଟ୍‌ପାଟ୍ କରୁଛନ୍ତି।

The post ଚିପ୍ସ ବୋଝେଇ ୬ ଗାଡ଼ି ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/2WuGQsZ