ଧର୍ମଶାଳା : ଧର୍ମଶାଳାର ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲଙ୍କ କାର୍‌କୁ ପିଛା କରୁଥିବା ଜଣେ ଜଣେ ଯୁବକକୁ କାବୁ କରି ପୁଲିସ୍‌ ଜିମା ଦିଆଯାଇଛି। ସଂପୃକ୍ତ ଯୁବକ ନିହଲ ପ୍ରସାଦ ଅଞ୍ଚଳର ରଂଜନ ପାଲ ବୋଲି ଜଣାପଡ଼ିଛି। ଧର୍ମଶାଳା ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

୫୩ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚିପ୍ସ ଚୋରାଚାଲାଣ ହେଉଥିବା ଖବରପାଇ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ନିଜ କାରରେ ଆଜି ପୂର୍ବାହ୍ଣରେ ଚଣ୍ତିଖୋଲ ଦେଇ ଚଢ଼େଇଧରା ଅଭିମୁଖେ ଯାଉଥିଲେ। ପଛରେ ତହସିଲ ଗାଡ଼ିରେ ଆର୍‌ଇ ସୁପରଭାଇଜର ନୀଳମଣି ବିଶ୍ବାଳ, ଆର୍‌ଆଇ ସୁଶାନ୍ତ କୁମାର ସ୍ବାଇଁ, ସୁନୀଲ ନାୟକ ଓ ଏଆର୍‌ଆଇ ନିର୍ମଳ ପଣ୍ତା ଯାଉଥିଲେ। ଏହି ସମୟରେ ଏକ ବାଇକ୍‌ରେ ରଂଜନ ଅତିରିକ୍ତ ତହସିଲଦାରଙ୍କ କାରକୁ ଚଣ୍ତିଖୋଲ ନିକଟରୁ ପିଛା କରୁଥିବା ଜଣାପଡ଼ିଥିଲା। ସେ ମୋବାଇଲରେ କାହାରିକୁ କିଛି ସୂଚନା ଦେଉଥିବା ସନ୍ଦେହ ହେବାରୁ ଶ୍ରୀମତୀ ଅଗ୍ରୱାଲଙ୍କ ସୂଚନାକ୍ରମେ ତହସିଲ କର୍ମଚାରୀମାନେ ତାଙ୍କୁ ଭଡ଼ଙ୍ଗା ଛକ ନିକଟରେ ଅଟକାଇଥିଲେ। ସେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ପୁଲିସ୍‌ ଜିମା ଦିଆଯାଇଥିଲା। ସେ ଏକ ଟ୍ରକ ଆସୋସିଏସନର ପିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ କାହିଁକି ପିଛା କରୁଥିଲେ, ସେନେଇ ପୁଲିସ୍‌ ଖୋଳତାଡ଼ କରୁଛି।

The post ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3j4vrrl