କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ସ୍ଥିତ ଓମ୍‌ଫେଡ୍‌ ଦୁଗ୍‌ଧ ଶୀତଳୀକରଣ ପ୍ଲାଣ୍ଟର କଂପ୍ରେସର୍‌ ପାଇପ୍‌ ଫାଟି ଶୁକ୍ରବାର ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ୩ ଜଣ ହେଲେ ମେକାନିକ୍‌ ଓ ସେମାନେ ଲିକେଜ୍‌ ଥିବା କଂପ୍ରେସର୍‌କୁ ମରାମତି କରିବା ବେଳେ ଦୁର୍ଘଟଣା ଘଟିଥିଲା।

ପ୍ରାପ୍ତ ସୂଚନାନୁସାରେ ପ୍ଲାଣ୍ଟ୍‌ର କଂପ୍ରେସର୍‌ରୁ ଗ୍ୟାସ୍ ଲିକ୍‌ ହୋଇଥିଲା। ଫଳରେ ତାକୁ ସଜାଡ଼ିବାକୁ ଆଜି ୩ ଜଣ ମେକାନିକ୍‌ ବଲାଙ୍ଗୀର ଜିଲ୍ଲା କୁସୁମଖୋଲର ଗୁଣନିଧି ବଗର୍ତ୍ତୀ (୨୯), କୁଟୁରୁପାଲି ଗ୍ରାମର ସଂଜୀବ ପଟେଲ (୪୫) ଓ କଟକର ସୁଶାନ୍ତ ବେହେରା (୨୪) ପହଞ୍ଚିଥିଲେ। ସେମାନେ ଲିକେଜ୍‌ ସ୍ଥାନ ମରାମତି କରିବାକୁ ଗ୍ୟାସ୍ ୱେଲ୍‌ଡିଂର ବ୍ୟବହାର କରୁଥିଲେ। ମାତ୍ର କାମ କରୁଥିବା ସମୟରେ ଦୈବାତ୍‌ କଂପ୍ରେସର୍‌ ପାଇପ୍‌ରେ ବିସ୍ଫୋରଣ ହୋଇଥିଲା। ଫଳରେ ୩ ଜଣ ଯାକ ଗୁରୁତର ଭାବେ ଆହତ ହୋଇଥିଲେ।

ଖବର ପାଇ କୋକସରା ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍‌ ଲିକେଜ୍‌କୁ ଆୟତ୍ତ କରିବା ସହ ଆହତମାନଙ୍କୁ ଉଦ୍ଧାର କରି କୋକସରା ସିଏଚ୍‌ସିରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

The post ଓମ୍‌ଫେଡ୍‌ ପ୍ଲାଣ୍ଟ କଂପ୍ରେସର୍‌ ପାଇପ୍‌ ଫାଟି ୩ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3z7rKb6