
ବାଲେଶ୍ବର : କରୋନା କାଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି ରାଜ୍ୟ ସରକାର। ଏହି ସମୟରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଫି’ ଛାଡ଼ କରିବାକୁ ସରକାର ନିର୍ଦେଶ ଦେଇଥିବା ବେଳେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ବେଖାତିର କରି ଫି’ ଆଦାୟ କରୁଛନ୍ତି।
ଏ ପ୍ରସଙ୍ଗରେ ଏକ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଥିବାରୁ ଫି’ ପଇଠ ପାଇଁ କୋର୍ଟ ନିର୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅଭିଭାବକମାନଙ୍କୁ ଜିଲ୍ଲା ଅଭିଭାବକ ମହାସଂଘ ପକ୍ଷରୁ ନିବେଦନ କରାଯିବା ସହ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି। ମହାସଂଘର ବାଲେଶ୍ବର ଜିଲ୍ଲା କନ୍ଭେନର ଆଶିଷ କୁମାର ଘୋଷଙ୍କ କହିବା ମୁତାବକ, ଏବେ ଲକ୍ଡାଉନ୍ ଯୋଗୁ ଅଭିଭାବକଙ୍କ ରୋଜଗାର ପ୍ରଭାବିତ ହୋଇଛି। ସେମାନଙ୍କୁ ସ୍କୁଲକଲେଜ ଫି’ ପଇଠ ପାଇଁ ବାଧ୍ୟତାମୂଳକ କରିବା ମାନସିକ ଯନ୍ତ୍ରଣା ଦେଉଛି।
ଅପରପକ୍ଷରେ ସ୍କୁଲକଲେଜ ଫି’ ଛାଡ଼ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ଥିବାବେଳେ, ଫି ନଦେଲେ ଅନ୍ଲାଇନ ପାଠପଢା ବନ୍ଦ କରିପାରିବେ ନାହିଁ। ଏ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ନିର୍ଦେଶ ରହିଥିବା ସତ୍ତ୍ବେ ଘରୋଇ ସ୍କୁଲକଲେଜଗୁଡ଼ିକ ପକ୍ଷରୁ ବାରମ୍ବାର ଅଭିଭାବକମାନଙ୍କୁ ଫି ମଗାଯାଉଛି। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଥିବା ଶ୍ରୀ ଘୋଷ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ବାଲେଶ୍ବର ଶାଖା କୋ-କନ୍ଭେନର ବିଜୟ କୁମାର ମହାନ୍ତି, ଜଏଣ୍ଟ କନଭେନର ଧୀରେନ ନାୟକ, ହରିଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post କରୋନାରେ ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଜୁଲମ, ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଜଣାଇଲେ ଅଭିଭାବକ first appeared on Sambad.from ଜିଲ୍ଲା | Sambad https://ift.tt/2ULz25j
0 Comments