ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍‌ ଛତ୍ରପୁର ଗ୍ରାମର ପ୍ରକୃତ ହିତାଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବାରୁ ଛତ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ସାମ୍‌ନାରେ ଧାରଣା ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବର୍ଷ ବର୍ଷ ହେବ ଆବାସ ଯୋଜନା, ଗାଈ ଗୁହାଳ, ଛେଳି ଗୁହାଳ, ମନରେଗା ଯୋଜନାରେ କାମ ମିଳୁନାହିଁ। କାମ ପାଇଲେ ପାଉଣା ମିଳିବାରେ ବିଳମ୍ବ ହେଉଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ ଅବହେଳା କରାଯାଉଛି। ଏଥିପାଇଁ ଗ୍ରାମବାସୀ ଗତ ଜୁଲାଇ ୧୬ ତାରିଖରେ ଲାଞ୍ଜିଗଡ଼ ବିଡିଓଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ।

ସୋମବାର ସକାଳ ୮ଟାରୁ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସାମ୍‌ନାରେ ଧାରଣା ଦେଇଛନ୍ତି। ଛତ୍ରପୁର ସରପଞ୍ଚ ରାଜୀବ ମାଝୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଧାରଣାରୁ ଓହରି ନଥିଲେ। ବ୍ଲକ୍‌ ପ୍ରାଶାସନିକ ଅଧିକାରୀ ନଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି। ପଞ୍ଚାୟତ ସ୍ତରରେ ସମାଧାନର ରାସ୍ତା ନ ବାହାରିଲେ ଆଗାମୀ ଦିନରେ ବ୍ଲକ୍‌ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଧାରଣାରେ ଗୁରୁଦେବ ପାଲ, ଦେବ ତାଣ୍ଡି, ଅଗସ୍ତି ହରିଜନ, ବିଟୁ ନାଗ, ରାମେଶ୍ୱର ନାଏକ, ପୀତାମ୍ବର ହରିଜନ, ସହଦେବ ବିଭାର, ପୂର୍ଣ୍ଣ ବିଭାର, ବିଦେଶୀ ନାଗ, ଚନ୍ଦ୍ରକଳା ହରିଜନ, କାଞ୍ଚନ ଗଉଡ଼, ସନ୍ଧ୍ୟା ଦୁର୍ଗା ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

The post ପଞ୍ଚାୟତ ଅଫିସ୍‌ ଆଗରେ ଧାରଣା ଦେଲେ ଗ୍ରାମବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/3x7uymQ