
ନୂଆପଡ଼ା/ବୋଡ଼େନ/ଖଡ଼ିଆଳ : ଜୁନ୍ ମାସରେ ବର୍ଷାର ପରିମାଣ କମ୍ ଥିବାସତ୍ତ୍ବେ ଚାଷୀମାନେ ଜମିରେ ଧାନ ବୁଣି ଦେଇଥିଲେ। ଇତିମଧ୍ୟରେ ଜୁଲାଇ ମାସ ଶେଷ ହେବାକୁ ବସିଛି। କିନ୍ତୁ ଜିଲ୍ଲାସାରା ବର୍ଷାର ଦେଖାନାହିଁ। ଆଷାଢ଼ ଯାଇ ଶ୍ରାବଣ ଛୁଇଁଥିଲେ ମଧ୍ୟ ଆବଶ୍ୟକ ପରିମାଣରେ ବର୍ଷା ହେଉନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।
ବର୍ଷା ଅଭାବରୁ ଜିଲ୍ଲାର ୫ଟି ବ୍ଲକ୍ରେ ଚାଷ କାର୍ଯ୍ୟ ଆଗେଇ ପାରୁନି। ବିଲରେ ପାଣି ଅଭାବରୁ ମାଟି ଫାଟି ଆଁ କରିଛି। ଯଦିଓ କିଛି ଚାଷୀ ପାଣି ପମ୍ପ ଦ୍ବାରା ପହ୍ଲା ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସବୁ ଅଞ୍ଚଳରେ ସମ୍ଭବ ହେଉନି। ବାହୁଡ଼ା ଯାତ୍ରା ସମୟରେ ଜିଲ୍ଲାର ଅଧିକାଂଶ ଚାଷୀ ବେଉଷଣ ଶେଷ କରି ଦେଇଥାନ୍ତି। କିନ୍ତୁ ଏ ବର୍ଷ ବ୍ୟତିକ୍ରମ ହୋଇଛି। କିଛି ସ୍ଥାନରେ ବୁଣା ଯାଇଥିବା ଧାନ ନଷ୍ଟ ହେଲାଣି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜିଲ୍ଲାରେ ସାରର ଅଭାବ ସାଙ୍ଗକୁ କଳାବଜାର ବ୍ୟାପକ ହେଉଥିବାରୁ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି। ନୂଆପଡ଼ା ଜିଲ୍ଲାରେ ଚଳିତ ଜୁଲାଇ ମାସରେ ୩୪୭.୧ ମିମି ବର୍ଷା ଆବଶ୍ୟକ ଥିଲା। କିନ୍ତୁ ୨୬ ତାରିଖ ସୁଦ୍ଧା ୨୧୯.୪୬ ମିମି ବର୍ଷା ହୋଇଛି। ସେହିପରି ଖଡ଼ିଆଳ ଓ ବୋଡ଼େନରେ ବର୍ଷାର ପରିମାଣ କମ୍ ଥିବାରୁ ବର୍ତ୍ତନଶୀଳ, ମହୁଲପଡ଼ା, ବାବେବିର ଗାଁରେ ଗଜା ମରୁଡ଼ି ହେବାର ଆଶଙ୍କା ଦେଖାଦେଇଛି।
ଏନେଇ ବୋଡ଼େନ ବ୍ଲକ୍ର ଚାଷୀ ସନ୍ତୋଷ ପତି, ଶ୍ରୀମଣି ପତି, ଗଜିନ୍ଦ୍ର ଚିନ୍ଦା, ଖଲି ନାଏକ, ଶଙ୍କର ନାଏକ, ରାମକୃଷ୍ଣ ପଣ୍ଡା, ଶ୍ୟାମଲାଲ ପଣ୍ଡା, ଜଗଦୀଶ ଖମାରୀ, ପୂର୍ଣ୍ଣଚନ୍ଦ୍ର ମାଝୀ ଯୁଗଳ ମାଝୀ, ବୈକୁଣ୍ଠ ସା, ଲଛମନ ସା, ବୈଷ୍ଠବ ମେହେର, ବିଜୟ ହଂସ, ବୁଟି କଟା, ଘେନୁ କଟା, ଜଗାନନ ନାଏକ, ଅମୂଲ୍ୟ ମିଶ୍ର ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧିଙ୍କୁ ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲାରେ ଜୁଲାଇ ୨୦୧୫ ମସିହାରେ ୨୭୮,୧୮ ମିମି ବର୍ଷା ହୋଇଥିଲା। ସେହିଭଳି ୨୦୧୬ ରେ ୨୯୪.୧୦ ମିମି ବର୍ଷା, ୨୦୧୭ ରେ ୧୭୧.୪୦ ମିମି, ୨୦୧୮ ରେ ୨୭୭.୦୨ ମିମି, ୨୦୧୯ ରେ ୨୯୦.୯୨ ମିମି, ୨୦୨୦ରେ ୩୦୦,୪୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୬ବର୍ଷ ହେବ ଲଗାତର ବର୍ଷାର ପରିମାଣ କମିବାରେ ଲାଗିଛି। ଚାଷୀ ସେମାନଙ୍କ ପହ୍ଲା କିପରି ବଞ୍ଚାଇବେ ଚିନ୍ତାରେ ପଡ଼ିଛନ୍ତି।
ଜିଲ୍ଲାରେ ଅଚଳ ଅବସ୍ଥାରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଏବଂ ଗଭୀର ନଳକୂପକୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଦାବି ହୋଇଛି। ବହୁ ଉଠା ଜଳସେଚନରେ ବିଦ୍ୟୁତ ସଂଯୋଗ ହୋଇନାହିଁ। ତୁରନ୍ତ ସେଠାରେ ବିଦ୍ୟୁତ ସଂଯୋଗ ପାଇଁ ଚାଷୀମାନେ ଦାବି କରିଛନ୍ତି। ଜୁଲାଇ ଶେଷ ସୁଦ୍ଧା ବର୍ଷା ନହଲେ ଜିଲ୍ଲାରେ ନିଶ୍ଚିତ ଗଜାମରୁଡ଼ି ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି।
The post ନୂଆପଡ଼ା ଜିଲ୍ଲାରେ ବର୍ଷା ଉଭାନ; ଗଜା ମରୁଡ଼ି ଆଶଙ୍କା, ବୋଡ଼େନ ଓ ଖଡ଼ିଆଳ ସ୍ଥିତି ଜଟିଳ first appeared on Sambad.from ଜିଲ୍ଲା | Sambad https://ift.tt/3x6pwXY
0 Comments