ବାଲିଅନ୍ତା: ରାସ୍ତାରୁ ପାଇଥିବା ଏକ ମନିପର୍ସ ହଜିଯାଇଥିବା ବ୍ୟକ୍ତିଙ୍କୁ ଫେରାଇ ଦେବା ପାଇଁ ସରପଞ୍ଚଙ୍କ ଜିମା ଦେଇ ନିଜର ମହାନତାର ପରିଚୟ ଦେଇଛନ୍ତି ପିଅନ। ସ୍ଥାନୀୟ ପ୍ରତାପରୁଦ୍ରପୁର ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପିଅନ ଧୀରେନ କୁମାର ବେହେରା ଗତକାଲି କାର୍ଯ୍ୟାଳୟରୁ ଘରକୁ ଫେରିବା ବାଟରେ ପ୍ରତାପରୁଦ୍ରପୁର ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟସ୍ଥ ରାସ୍ତାରୁ ଏକ ମନିପର୍ସ ପାଇଥିଲେ। ସେଥିରେ ଥିବା ଦିବ୍ୟାଙ୍ଗ ପ୍ରମାଣ ପତ୍ରରୁ ମନିପର୍ସ ଜଗତସିଂହପୁର ଅଞ୍ଚଳର ନିବାସ ଚନ୍ଦ୍ର ମହାନ୍ତିଙ୍କର ବୋଲି ଜାଣିବାକୁ ପାଇଥିଲେ। ମନିପର୍ସ ଭିତରେ ତାଙ୍କର ବ୍ୟାଙ୍କ ଅଫ ଇଣ୍ଡିଆର ଡେବିଟ କାର୍ଡ଼, ଦୁଇଖଣ୍ଡ ୫୦୦ ଟଙ୍କିଆ ନୋଟ (ମୋଟ ୧୦୦୦ ଟଙ୍କା) ସହିତ ଖୁଚୁରା ଟଙ୍କା, ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଡେବିଟ କାର୍ଡ଼ ରହିଛି।

‌ମନିପର୍ସଟି ହଜିଯାଇଥିବା ବ୍ୟକ୍ତିଙ୍କୁ ଫେରାଇ ଦେବା ପାଇଁ ଧୀରେନ ସେଥିରେ ଏକ ରସିଦ୍‌ରେ ଲେଖାଥିବା ମୋବାଇଲ ଫୋନକୁ ବାରମ୍ବାର ଯୋଗାଯୋଗ କରିଥିଲେ। ହେଲେ ଉକ୍ତ ମୋବାଇଲ ଫୋନଟି ସୁଇଚ ଅଫ ରହିଥିବାରୁ ଆଉ ତାଙ୍କ ସହ ଯୋଗାଯୋଗ କରିପାରିନଥିଲେ। ତେଣୁ ଆଜି ପୂର୍ବାହ୍ନରେ ପ୍ରତାପରୁଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବାମନ ଚରଣ ଭୋଇଙ୍କୁ ହସ୍ତାନ୍ତର କରିଥିଲେ। ସରପଞ୍ଚ ଶ୍ରୀ ଭୋଇ ପୋଷ୍ଟାଲ ରେଜେଷ୍ଟି ଡାକ ଜରିଆରେ କିମ୍ବା ବାଲିଅନ୍ତା ଥାନାକୁ ହସ୍ତାନ୍ତର କରି ମନିପର୍ସଟି ସଂପୃକ୍ତ ବ୍ୟକ୍ତିଙ୍କ ନିକଟକୁ ଫେରାଇ ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

The post ପାଇଥିବା ମନିପର୍ସ ସରପଞ୍ଚଙ୍କ ଜିମା ଦେଲେ ପିଅନ first appeared on Sambad.

from ଜିଲ୍ଲା | Sambad https://ift.tt/36FspEt