କଟକ : କଟକ ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ପୂର୍ବ ନି‌ର୍ଦ୍ଦେଶ ଅନୁସାରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଶୁକ୍ରବାର ବ୍ୟକ୍ତିଗତ ଉପସ୍ଥିତ ଥିଲେ। କିନ୍ତୁ ବର୍ଷା ଆସି ନଥିଲେ। ବର୍ଷାଙ୍କ ପକ୍ଷରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଓକିଲଙ୍କ ମାଧ୍ୟମରେ ସମୟ ଲୋଡ଼ି ଆବେଦନ ଦାୟର କରାଯାଇଥିଲା। ଏଭଳି ସ୍ଥିତିରେ ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦କୁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ଉଭୟ ବର୍ଷା ଓ ଅନୁଭବ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ।

କଟକ ସଦର ଏସଡି‌ଜେଏମ୍ ଅଦାଲତରେ ଘରୋଇ ହିଂସା ଅଭିଯୋଗ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ମାମଲାରେ ଶୁକ୍ରବାର ଅନୁଭବ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ। କିନ୍ତୁ ବର୍ଷା ଅନୁପସ୍ଥିତ ଥିଲେ। ଏଭଳି ସ୍ଥିତିରେ ଘରୋଇ ହିଂସା ମାମଲାର ମଧ୍ୟସ୍ଥତା ପ୍ରକ୍ରିୟାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ମଧ୍ୟସ୍ଥତା ରିପୋର୍ଟ ଦାଖଲ ପରେ ଅଦାଲତରେ ମାମଲାର ଶୁଣାଣିରେ ଅଗ୍ରଗତି ହେବ।

ଅନ୍ୟପକ୍ଷରେ ଶୁକ୍ରବାର ଦିନ ଅଦାଲତ ପରିସରରୁ ବାହାରିବା ପରେ ଅନୁଭବ ଗଣମାଧ୍ୟମକୁ କହିଥିଲେ, ‘ମୋର ବର୍ଷାଙ୍କ ପ୍ରତି ସମ୍ମାନ କେବେ କମିନାହିଁ। ମୁଁ ଚାହୁଁଛି ସେ ଭଲରେ ଥାଆନ୍ତୁ। ଲୋକଙ୍କ ସାମନାରେ ଗୋଟେ ଆଉ ଭିତରେ ଆଉ ଗୋଟେ କିଛି ରଖିଲେ, ତାହା ପ୍ରକୃତରେ ନୈରାଶ୍ୟଜନକ। ଜଣକୁ ଏତେ ଭଲ ପାଇକି ବାହା ହୋଇଥିଲି ମୁଁ, ତାଙ୍କଠାରୁ ଏ ସବୁ ଜିନିଷ ଆଶା କରାଯାଏ ନାହିଁ। ଯଦି ଏମିତି ଜାରି ରୁହେ ତା ହେଲେ ହୁଏତ ମୋର ‌ପ୍ରେମ ଉପରୁ ସାରା ଜୀବନ ପାଇଁ ବିଶ୍ବାସ ଉଠିଯିବ’ ବୋଲି ଅନୁଭବ କହିଥିଲେ।

ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

The post ପରିବାର ଅଦାଲତରେ ଅନୁଭବ, ଆସିଲେନି ବର୍ଷା first appeared on Sambad.

from ଜିଲ୍ଲା | Sambad https://ift.tt/3rijYIp