ବାଲେଶ୍ବର: ଚୂନଭାଟି ସ୍ଥିତ ଏକ ଘରୁ ସ‌େନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଟାଉନ୍‌ ଥାନା ପୁଲିସ ଜବତ କରିଛି। ସେ‌ ହେଲେ ଉତ୍ତରପ୍ରଦେଶ ଅହ୍ଲାରପୁର ତିଳକନଗର ଅଞ୍ଚଳର ମହେନ୍ଦ୍ର କୁମାର ସିଂହ(୩୭)। ଏନେଇ ଟାଉନ୍‌ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୁଲିସ ସୂଚନା ମୁତାବକ, ଗତ ୨ବର୍ଷ ହେବ ମହେନ୍ଦ୍ର ୟୁପିରୁ ଆସି ଏଠାରେ ଗୋପାଳଗାଁ ସ୍ଥିତ ଲାଲ୍ ପାଥୋ ଲ୍ୟାବ୍‌ରେ ଏରିଆ ମ୍ୟାନେଜର ଭାବେ କାମ କରୁଥିଲେ। ଆଉ ସେଠାରେ ଥିବା ମାଲିକ ଶାନ୍ତିଲତା ଦଳେଇଙ୍କ ଘରେ ଭଡ଼ାରେ ରହୁଥିଲେ। ଗତ ୨୫ ତାରିଖରେ ପତ୍ନୀ ଏବଂ ପିଲା ୟୁପି ଯାଇଥିବା ବେଳେ ସେ ଘରେ ଏକା ରହୁଥିଲେ।‌ ତେବେ ଗୁରୁବାର ସକାଳୁ ହଠାତ୍‌ ଉପରମହଲା ସ୍କାଏଲାଇଟ୍‌ ବାଟେ ଧୂଆଁ ବାହାରୁ ଥିବା ଦେଖି ଶାନ୍ତିଲତା ମହେନ୍ଦ୍ରଙ୍କ ରୁମ୍‌ ନିକଟକୁ ଯାଇଥିଲେ। କବାଟ ବନ୍ଦ ଥିବା ବେଳେ ପୋଡା ଗନ୍ଧ ତାଙ୍କୁ ଚକିତ କରିଥିଲା। ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ ଓ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲେ। ହେଲେ ସେତେବେଳକୁ ଆଉ କିଛି ନଥିଲା। ମହେନ୍ଦ୍ରଙ୍କ ବିଛଣା ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିଲା। ପୁଲିସ ମହେନ୍ଦ୍ରଙ୍କ ଅର୍ଦ୍ଧଦଗ୍ଧ ମୃତହେଦକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବ‌େ ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

The post ସ‌ନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3xMdWCk