ଛତିଆ : ବୈରୀ ଥାନା ଅନ୍ତର୍ଗତ ଛତିଆ ସୋଲର ଛକରେ ଥିବା ଜଗନ୍ନାଥ ଭେରାଇଟି ଷ୍ଟୋରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ତରେ ଦୋକାନର ପ୍ରାୟ ୮ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଦୋକାନ ମାଲିକ ରଞ୍ଜିତ କୁମାର ନାଥ ଅଭିଯୋଗ କରିଛନ୍ତି। ଏନେଇ ଶ୍ରୀ ନାଥ ଛତିଆ ପୁଲିସ ବିଟ୍‌ ହାଉସରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସ୍ଥାନୀୟ ବିଦ୍ୟାଧରପୁର ଗ୍ରାମର ଶ୍ରୀ ନାଥ ସୋଲର ଛକରେ ଏକ ଭେରାଇଟି ଷ୍ଟୋର କରିଛନ୍ତି। ଗତ ତିନିମାସ ତଳେ ସୋଲର ଅଞ୍ଚଳର କିଛି ଲୋକଙ୍କ ସହ ତାଙ୍କର ଦୋକାନକୁ ନେଇ ଗଣ୍ତଗୋଳ ହୋଇଥିଲା। ଏନେଇ ବୈରୀ ଥାନା ଓ ଛତିଆ ଫାଣ୍ତିରେ ଅଭିଯୋଗ ଦାୟର କରାଯାଇଥିଲା। ଆହତ ଶ୍ରୀ ନାଥ ଡାକ୍ତରଖାନାରୁ ଫେରି ପୁଣି ବ୍ୟବସାୟ ଆରମ୍ଭ କରିଥିଲେ।

ଗତକାଲି ବିଳମ୍ବିତ ରାତିରେ ଦୋକାନ ପଛପଟ ସ୍କାଏ ଲାଇଟ୍‌ ଭାଙ୍ଗି କେହି ଦୁର୍ବୃତ୍ତ ଦୋକାନ ଭିତରେ ନିଆଁ ଲଗାଇ ଦେଇଥିବା ଶ୍ରୀ ନାଥ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର କିଛିଲୋକ ବିଳମ୍ବିତ ରାତିରେ ଦୋକାନ ଭିତରେ ନିଆଁ ଦେଖି ଶ୍ରୀ ନାଥକୁ ଜଣାଇଥିଲେ। ଚଣ୍ତିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେ‌ଳକୁ ଦୋକାନରେ ଥିବା ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ବୈରୀ ଥାନା ଏସଆଇ ସୁବ୍ରତ କୁମାର ସାହୁ, ଛତିଆ ବିଟ୍‌ ହାଉସ ଅଧିକାରୀ ଗୋବର୍ଦ୍ଧନ ନାୟକ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।

The post ଦୋକାନ ଜାଳିଦେଲେ ଦୁର୍ବୃତ୍ତ: ୮ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡ଼ିଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3hDIz7w