ଲଇକେରା : କିଛିଦିନ ଅନ୍ତରରେ ପୁଣି ପଇଁତରା ମାରିଲେଣି ହାତୀ। ଯେଉଁ ଟ୍ରେନ୍‌ ଲାଇନ୍‌ରେ କଟି ଏକାଧିକ ହାତୀଙ୍କ ମୃତ୍ୟୁ ହୋଇଥିଲା ସେଇ ଲାଇନକୁ ଦିନ ବେଳା ପୁଣି ହାତୀ ଅତିକ୍ରମ କରୁଥିବା ଦେଖା ଯାଉଛି।

ବନ ବିଭାଗର ସୂଚନା ଅନୁଯାୟୀ ଗୋଏଲମୁରା ଜଙ୍ଗଲରେ ୪ଟି ହାତୀ ଓ ପିତାମାଲ ଜଙ୍ଗଲରେ ଗୋଟିଏ ହାତୀ ଏବେ ଅଛନ୍ତି। ସନ୍ଧ୍ୟା ହେଲେ ସେମାନେ ଆଖପାଖ ଅଞ୍ଚଳରେ ବିଚରଣ କରୁଛନ୍ତି। ବର୍ତ୍ତମାନ ପାଚିଲା ତାଳ ଖାଇବା ପାଇଁ ସେମାନେ ଜଙ୍ଗଲରୁ ବାହାରି ଗ୍ରାମ ମୁହାଁ ହେଉଛନ୍ତି। କିଛିଦିନ ଧରି ହାତୀମାନେ ଏହି ଜଙ୍ଗଲରେ ରହିଛନ୍ତି। କିଛି କ୍ଷୟକ୍ଷତି ରିପୋର୍ଟ ଏଯାଏଁ ଆସିନି। ତେବେ ରେଳ ଲାଇନ୍‌ ଦେଇ ହାତୀ ଚଲାବୁଲା କରୁଥିବାରୁ ବନ ବିଭାଗ କର୍ମଚାରୀ ଚିନ୍ତିତ ଅଛନ୍ତି। ହାତୀଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଉଛି ବୋଲି କୁହାଯାଇଛି।

ରାତିରେ ହାତୀ ଜଗିବାକୁ ପାଟ୍ରୋଲିଂ ଚାଲିଛି। ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ମଧ୍ୟ ହାତୀର ଗତିପଥ ଉପରେ ନଜର ରଖିଛନ୍ତି। ଏହାଛଡ଼ା ନିକଟରେ ବାଗଡ଼ିହି ରେଳ ଷ୍ଟେସନ୍‌ରେ ହାତୀ ଚଳ ପ୍ରଚଳ ନେଇ ସତର୍କ ସୂଚନା ଦିଆଯାଇଛି। ଏହି ଅଞ୍ଚଳ ଦେଇ ଟ୍ରେନ୍‌ ଗତି କରିବା ବେଳେ ଗାଡ଼ିର ବେଗ ଅଳ୍ପ ରଖିବା ସହିତ ଲମ୍ବା ହର୍ଣ୍ଣ ଦେଇ ଯିବା ପାଇଁ ସୂଚନା ଦିଆଯାଇଥିବା ବାଗଡିହି ଫରେଷ୍ଟର ବୁଧୁରାମ ରୋହିଦାସ କହିଛନ୍ତି।

The post ଟ୍ରେନ ଲାଇନ୍‌ କଡ଼ରେ ହାତୀ, ଚିନ୍ତାରେ ବନବିଭାଗ first appeared on Sambad.

from ଜିଲ୍ଲା | Sambad https://ift.tt/3fh334j