
ରାୟଗଡ଼ା: ଆନ୍ଧ୍ର ସୀମାନ୍ତ ଓଡ଼ିଶାର ସାନଲୁକୁଟି ଗାଁରେ ଆନ୍ଧ୍ର ତିଆରି କରୁଥିବା ପୋଲକୁ ନେଇ ସମୀକ୍ଷା କରିଛନ୍ତି ଉଭୟ ରାଜ୍ୟ ଅଧିକାରୀ। ପୋଲ ନିର୍ମାଣ ସ୍ଥଳ ଓଡ଼ିଶାରେ ଥିବାରୁ ଓଡ଼ିଶା ସରକାରଙ୍କ ବିନା ଅନୁମତିରେ ନିର୍ମାଣ କାମ ନ କରିବାକୁ ଆନ୍ଧ୍ର ଅଧିକାରୀଙ୍କୁ ରୋକଠୋକ୍ ଭାବେ ମନା କରିଛନ୍ତି ରାୟଗଡ଼ା ବିଡ଼ିଓ ଏବଂ ତହସିଲଦାର। ଫଳରେ ଅଟକିଥିବା ନିର୍ମାଣ କାମ ପୁନଃ ଆରମ୍ଭ ପାଇଁ ଆସିଥିବା ଆନ୍ଧ୍ର ଅଧିକାରୀ ନିରାଶ ହୋଇ ଫେରି ଯାଇଛନ୍ତି।
ଆନ୍ଧ୍ର ସୀମାନ୍ତକୁ ଲାଗିଛି ରାୟଗଡ଼ା ବ୍ଲକ ବୈରାଗୀହାଲୁଆ ପଞ୍ଚାୟତର ସାନଲୁକୁଟି ଗ୍ରାମ। ଏହି ଗାଁରୁ ୨ କିମି ଦୂରରେ ରହିଛି ଆନ୍ଧ୍ରର ଲାଡ୍ଡା ଗ୍ରାମ। ଲାଡ୍ଡାକୁ ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନଥିବାରୁ ଉକ୍ତ ଗ୍ରାମବାସୀ ଓଡ଼ିଶାର ରାସ୍ତା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସାନଲୁକୁଟି-ଲାଡ୍ଡା ରାସ୍ତା ମଧ୍ୟରେ ଏକ ନାଳ ଥିବା ବେଳେ ଉକ୍ତ ନାଳରେ ବର୍ଷା ଦିନରେ ପାଣି ରହୁଥିବାରୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲାଡ୍ଡାବାସୀ। ନିଜ ସମସ୍ୟା ସଂପର୍କରେ ଲାଡ୍ଡାବାସୀ ଆନ୍ଧ୍ର ପ୍ରଶାସନର ଦୃଷ୍ଟିଗୋଚର କରିବା ପରେ ଓଡ଼ିଶାର ନାଳ ଉପରେ ଆନ୍ଧ୍ର ବେଆଇନ ପୋଲ ନିର୍ମାଣ ଆରମ୍ଭ କରିଥିଲା। ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ମତଦାନ ପୂର୍ବରୁ ଭୋଟ ହାତେଇବାକୁ ଯୋଜନା କରି ଆନ୍ଧ୍ର ଓଡ଼ିଶାରେ ପୋଲ ନିର୍ମାଣ ଆରମ୍ଭ କରିବା ସହ ଦୁଇଟି ପିଲର ନିର୍ମାଣ କାମ ଅଧା ସାରି ଦେଇଥିଲେ। କୋଟିଆ ବିବାଦ ପରେ ସରକାର ପଦକ୍ଷେପ ନେଇ ସୀମାନ୍ତରେ ସ୍ଥିତି ପରଖିବା ପରେ ଆନ୍ଧ୍ରର ବେଆଇନ ନିର୍ମାଣ ସଂପର୍କିତ ଖବର ଜଣା ପଡିଥିଲା।
ରାୟଗଡ଼ା ଜିଲ୍ଲାପାଳଙ୍କ ନିର୍ଦେଶରେ ତତ୍କାଳୀନ ବିଡ଼ିଓ, ତହସିଲଦାର ସାନଲୁକୁଟି ଗାଁରେ ପହଞ୍ଚି ଆନ୍ଧ୍ରର ବେଆଇନ ନିର୍ମାଣ କାମକୁ ବନ୍ଦ କରିଥିଲେ। ଏଥି ସହିତ ନାଳକୁ ଯାତାୟାତ ପାଇଁ ରାସ୍ତା ନଥିବାରୁ ରାୟଗଡ଼ା ବ୍ଲକ୍ ପକ୍ଷରୁ ତୁରନ୍ତ ସିସିରୋଡ୍ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଯାହାର ନିର୍ମାଣ କାମ ୭୦ ପ୍ରତିଶତ ସରିଲାଣି। ଫେବ୍ରୁଆରିରୁ ପୋଲ ନିର୍ମାଣ ବନ୍ଦ ରହିଥିବା ବେଳେ ସ୍ଥିତି ସମୀକ୍ଷା ପାଇଁ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ, ଯନ୍ତ୍ରୀ ଟିମ୍ ସୋମବାର ସାନଲୁକୁଟି ଗାଁରେ ପହଞ୍ଚିଥିଲେ।
ରାୟଗଡ଼ା ବିଡ଼ିଓ ଲକ୍ଷ୍ମୀନାରାୟଣ ସାବତ, ସହକାରୀ ଯନ୍ତ୍ରୀ ଦଇତାରୀ ଟୁଡୁ, ତହସିଲଦାର ଉମାଶଙ୍କର ବେହେରା, ରାଜସ୍ବ ନୀରିକ୍ଷକ ଅଶ୍ବିନୀ କୁମାର ପଣ୍ଡା, ସୁପରଭାଇଜର ପି. ମଲ୍ଲିକାର୍ଜୁନ ପ୍ରମୁଖ ସାନଲୁକୁଟିରେ ପହଞ୍ଚି ମ୍ୟାପ୍ ମାଧ୍ୟମରେ ଉଭୟ ରାଜ୍ୟର ସୀମା ମାପଚୁପ୍ କରିଥିଲେ। ବିବାଦୀୟ ନିର୍ମାଣ ସ୍ଥଳ ଓଡ଼ିଶାରେ ଥିବା ସ୍ପଷ୍ଟ ହେବା ପରେ ଆନ୍ଧ୍ର ଟିମ୍ ଫେରି ଯାଇଥିଲେ। ସାନଲୁକୁଟି ଭଳି ରାୟଗଡ଼ା ବ୍ଲକ୍ ଦୁର୍ଗାପାଡୁ ପଞ୍ଚାୟତ ପାଲମତୁଳସୀ ଗାଁରେ ମଧ୍ୟ ଆନ୍ଧ୍ର ଓଡ଼ିଶା ଜମିକୁ ଅକ୍ତିଆର କରି ରାସ୍ତା ତିଆରି କରିବାକୁ ଜମି ଚିହ୍ନଟ କରି ସିମେଣ୍ଟ ଖୁଣ୍ଟ ପୋତିଥିଲା। ଓଡ଼ିଶା ପ୍ରଶାସନର ହସ୍ତକ୍ଷେପ ପରେ ଗ୍ରାମବାସୀ ସିମେଣ୍ଟ ଖୁଣ୍ଟକୁ ଉପାଡ଼ି ଫୋଫାଡ଼ି ଦେବା ପରେ ଉକ୍ତ ରାସ୍ତା ନିର୍ମାଣ ମଧ୍ୟ ବନ୍ଦ ରହିଛି।
The post ଓଡ଼ିଶାରେ ଆନ୍ଧ୍ରର ସେତୁ ତିଆରି ପ୍ରସଙ୍ଗ; ସୀମାନ୍ତରେ ଦୁଇ ରାଜ୍ୟର ଅଧିକାରୀଙ୍କ ସମୀକ୍ଷା first appeared on Sambad.from ଜିଲ୍ଲା | Sambad https://ift.tt/3xT8DRG
0 Comments