ଦେଓଗାଁ ବ୍ଲକ୍‌ରେ ମନରେଗା ମହାଦୁର୍ନୀତି: ଗଛ ଲଗାଇବା ନାଁରେ କୋଟିଏ ଚଳୁ

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରେ ବି ମନରେଗା କାମରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ମନରେଗା ଯୋଜନାରେ ହୋଇଥିବା ବୃକ୍ଷରୋପଣ କାମ‌ରେ ଅନିୟମିତତା ଏବେ ସାମନାକୁ ଆସିବାରେ ଲାଗିଛି। କାଗଜ କଲମରେ ଲକ୍ଷ ଲକ୍ଷ ଗଛ ଲଗାଯାଇଥିବା ରେକର୍ଡ଼ କହୁଛି। ହେଲେ ରୋପଣ ହୋଇଥିବା ସ୍ଥାନ ବୃକ୍ଷଶୂନ୍ୟ ଥିବା ଦେଖିବାକୁ ମିଳୁଛି। ଗଛ କେଉଁଠି ଲଗାଯାଇଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏଭଳି ଭାବେ କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ସନ୍ଦେହ କରାଯାଉଛି।

ପ୍ରକାଶ ଯେ, ମନରେଗା ଯୋଜନାରେ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଓଗାଁ ବ୍ଲକ୍‌ରେ ‌ପ୍ରାୟ ଦେଢ଼କୋଟି ଟଙ୍କାର ବୃକ୍ଷରୋପଣ ବ୍ଲକ୍‌ ଓ ବନ ବିଭାଗ ପକ୍ଷରୁ କରାଯାଇଥିବା ସରକାରୀ ତଥ୍ୟ କହୁଛି। କିନ୍ତୁ ବ୍ଲକ୍‌ ପ୍ରଶାସନ କରିଥିବା ବୃକ୍ଷରୋପଣକୁ ଗ୍ରାଉଣ୍ଡ ଜିରୋରୁ ଦେଖିଲେ ବାସ୍ତବ ଚିତ୍ର ଭିନ୍ନ। କେଉଁଠି ଗାତ ଖୋଳି ଦେଇ ଛାଡ଼ି ଦିଆଯାଇଛି ତ ପୁଣି କେଉଁଠି ଗୋଟିଏ ଗଛ ଲଗାଇ ଫଟୋ ପୋଜ୍‌ ଦେଇ ଫାଇଲ ଚାଷ କରିଛନ୍ତି। ବ୍ଲକ୍‌ର ୨୬ଟି ପଞ୍ଚାୟତରେ ହୋଇଥିବା‌ ବୃକ୍ଷରୋପଣ ମଧ୍ୟରୁ ଭାତହାଣ୍ଡିରୁ ଗୋଟିଏ ଭଳି ଉପରଝର ପଞ୍ଚାୟତରେ ହୋଇଥିବା ୧୫ଲକ୍ଷ ୬୦ହଜାର ଟଙ୍କାର ବୃକ୍ଷରୋପଣକୁ ଦେଖିଲେ ସବୁକିଛି ସ୍ପଷ୍ଟ ହୋଇଯିବ।

ଏହି ପଞ୍ଚାୟତର ରେଙ୍ଗାଲିରୁ ଫଟାମୁଣ୍ଡା ରାସ୍ତା, ରେଙ୍ଗାଲିରୁ ବନ୍ଧ ରାସ୍ତା, ରେଙ୍ଗାଲି ପ୍ରାଥମିକ ସ୍କୁଲ ପରିସର, ଫଟାମୁଣ୍ଡା ହାଇସ୍କୁଲ, ଉପରଝର ଅଙ୍ଗବାଡ଼ି କେନ୍ଦ୍ର, ମହିଳା ମହାବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ‌ଉପରଝର ମିନି ଷ୍ଟାଡ଼ିୟମ, ଉପରଝରଠାରୁ ରେଙ୍ଗାଲି ରାସ୍ତା, କୁହିମୁଣ୍ଡା ପ୍ରାଥମିକ ସ୍କୁଲ ଏପରି ୧୩ଟି ସ୍ଥାନରେ ବୃକ୍ଷରୋପଣ କରାଯାଇଥିବା ସରକାରୀ ରେକର୍ଡ଼ କହୁଛି। କିନ୍ତୁ ଗଛ ଲଗାର ୪ବର୍ଷ ପରେ ମଧ୍ୟ ଏହି ଜାଗା ବୃକ୍ଷଶୂନ୍ୟ ହୋଇଛି। ଏସବୁ ସ୍ଥାନରେ ଗାତ ନାହିଁ କି ଗଛ ବି ନାହିଁ। ଯଦି ବୃକ୍ଷରୋପଣ ହୋଇଥିଲା ତାହେଲେ ଗଛ ଗଲା କୁଆଡ଼େ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସହିପରି ରାମଚନ୍ଦ୍ରପୁର ପଞ୍ଚାୟତର ମଧ୍ୟ ୧୭ଟି ସ୍ଥାନରେ ପ୍ରାୟ ୨୨ଲକ୍ଷ ଟଙ୍କାର ବୃକ୍ଷରୋପଣ କରାଯାଇଥିବା କାଗଜ ପତ୍ରରୁ ଜଣାପଡ଼ିଛି। ହେଲେ ରାମଚନ୍ଦ୍ରପୁରରୁ ଲୁହାଖାନ, ରାମଚନ୍ଦ୍ରପୁରରୁ ଚିପାକାନୀ, ମହାକୁରପାଲି ବନ୍ଧ, ମହାକୁରପାଲି ୟୁପି ସ୍କୁଲ, ଲୁହାଖାନ ୟୁପି ସ୍କୁଲ, ରାମଚନ୍ଦ୍ରପୁର ବାଳିକା ହାଇସ୍କୁଲ, ପଲ୍ଲିଶ୍ରୀ ହାଇସ୍କୁଲ, କନ୍ୟାଶ୍ରମ, କୋଏଲପିଟା ରାସ୍ତା ସହ ବିଭିନ୍ନ ସ୍ଥାନରେ ଗଛ ଲଗା ଯାଇଥିବା ଜଣାପଡ଼ିଛି। ହେଲେ ଏସବୁ ସ୍ଥା‌ନରେ ମଧ୍ୟ ଗଛର ଚିହ୍ନବର୍ଣ୍ଣ ନାହିଁ।

କିଛି ମାସ ପୂର୍ବରୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ବୃକ୍ଷରୋପଣ ହୋଇଥିବା ସ୍ଥାନଗୁଡ଼ିକୁ ତଦାରଖ କରି ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ପୁଣି ପ୍ରତି ୬ମାସରେ ଥରେ ସାମାଜିକ ସମୀକ୍ଷା କରାଯାଉଛି। ତଥାପି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏନେଇ ଦେଓଗାଁ ବ୍ଲକ୍‌ ଏପିଓ ପ୍ରଶାନ୍ତ ସାହୁଙ୍କୁ ପଚାରିବାରୁ ପଞ୍ଚାୟତଗୁଡ଼ିକରେ ହୋଇଥିବା ବୃକ୍ଷରୋପଣର ଫାଇଲ ଦେଖିଲେ କେତେ ହୋଇଛି କହିହେବ ବୋଲି କହିଛନ୍ତି। ଏଣୁ ତୁରନ୍ତ ଏହାର ସ୍ବତନ୍ତ୍ର ଅଡିଟ୍‌ କରାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

The post ଦେଓଗାଁ ବ୍ଲକ୍‌ରେ ମନରେଗା ମହାଦୁର୍ନୀତି: ଗଛ ଲଗାଇବା ନାଁରେ କୋଟିଏ ଚଳୁ first appeared on Sambad.

from ଜିଲ୍ଲା | Sambad https://ift.tt/36h1Wg0

Post a Comment

0 Comments