ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜରେ ଥମୁନି ହାତୀ ଉପଦ୍ରବ। ହାତୀପଲ ପ୍ରତିଦିନ ବିଭିନ୍ନ ଅଂଚଳରେ ଘରଦ୍ବାର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟଭ୍ରଷ୍ଟ କରିଦେଉଛନ୍ତି। ଗତକାଲି ବାଲରାଇ ଓ କଣ୍ଡକଳା ଗ୍ରାମରେ ପଶି ହାତୀପଲ ଆତଙ୍କ ଖେଳାଇଛନ୍ତି। ୧୨ ଟିକିଆ ହାତୀପଲ ଦିନ ବେଳା ନିକଟସ୍ଥ ଚା’ ବଗିଚା ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି। ଲୋକେ ଭୟଭୀତ ହୋଇ ରହୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ବାଲରାଇ ଗ୍ରାମର ଖଗେଶ୍ବର ସେଠୀଙ୍କ ଘର ଭାଙ୍ଗି ଦେଇଛନ୍ତି। ଘରେ ଥିବା ଧାନ ଚାଉଳ ଖାଇବା ସହିତ ଆସବାଵ ପତ୍ର ଦଳିଚକଟି ନଷ୍ଟ କରିଦେଇଛିନ୍ତି।

ଖଗେଶ୍ୱରଙ୍କ ପରିବାର ହାତୀ ଆସିଥିବା ଜାଣିପାରି ଘରୁ ଦୌଡ଼ି ପଳାଇ ଗାଁରେ ଖବର ଦେଇଥିଲେ। ଗ୍ରାମବାସୀ ହାତୀଙ୍କୁ ଘଉଡାଇବାରୁ ହାତୀପଲ ଜଙ୍ଗଲକୁ ପଳାଇଯାଇଥିଲେ। ପରେ ନିକଟସ୍ଥ କଣ୍ଡକଳା ଗ୍ରାମରେ ପଶି ଜିଞ୍ଜର ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିଲେ। ଜିଞ୍ଜରଙ୍କ ପରିବାର ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗ ହାତୀପଲଙ୍କୁ ଘଉଡାଇବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

The post ଘର ଭାଙ୍ଗି ଧାନ ଚାଉଳ ଖାଇଲେ ହାତୀ ପଲ first appeared on Sambad.

from ଜିଲ୍ଲା | Sambad https://ift.tt/3xOe5oY