ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଓ ଏହାର ଆଖପାଖ ଅଂଚଳରେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ଘଟିଛି। ଗତମାସ ଶେଷ ସପ୍ତାହରୁ ମୌସୁମୀ ଜଳବାୟୁ ଆସିଥିଲେ ମଧ୍ୟ ଅପେକ୍ଷାକୃତ କମ୍ ବର୍ଷା ହୋଇଛି। ବର୍ଷା ଅଭାବରୁ ତଳି ବୁଣା ସରିଥିଲେ ମଧ୍ୟ ରୁଆ କାର୍ଯ୍ୟ ଆରମ୍ଭ ହୋଇପାରିନି। ଗତ ଦୁଇ ଦିନ ହେଲା କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ବର୍ଷା ହେବା ସହ ବଜ୍ରାଘାତ ହୋଇଥିଲା। ଏଥିରେ ସାନକୋଦଣ୍ଡା ପଞ୍ଚାୟତର ଚଢେୟାପଲ୍ଲୀ ଗ୍ରାମରେ ୨୫ଟି ମେଣ୍ଢା ଓ ଛେଳିଙ୍କ ମୃତ୍ୟୁ ଘଟିଛି। ଛେଳି ମାନଙ୍କୁ ଚରାଇବା ସମୟରେ ବଜ୍ରପାତରେ ସେମାନଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଖଲିଆ ଗୌଡ଼ ନାମକ ଜଣେ ଛେଳି ଚରାଳି ନିକଟସ୍ଥ ଲୋହରାଖଣ୍ଡି ନଦୀ କୂଳରେ ଆଜି ଅପରାହ୍ନ ସମୟରେ ପ୍ରାୟ ୪୯ଟି ଛେଳି ଓ ମେଣ୍ଢାକୁ ନେଇ ଚରାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ଘଟିଥିଲା। ଖଳିଆ ସମସ୍ତ ଛେଳି ଓ ମେଣ୍ଢାକୁ ନେଇ ଏକ ଗଛମୂଳ ଆଡ଼କୁ ଘଉଡାଇ ଆଣୁଥିବା ସମୟରେ ବଜ୍ରପାତରେ ଛେଳି ଗୁଡ଼ିକର ମୃତ୍ୟୁ ଘଟିଥିଲା। ଏଥିରେ ୧୫ ଗୋଟି ଛେଳି ଥିବା ବେଳେ ବାକି ୧୦ଟି ମେଣ୍ଢା ରହିଥିବା ଖଲିଆ କହିଛନ୍ତି। ମୃତ ଛେଳି ଗୁଡିକ ମଧ୍ୟରୁ ଅଧିକାଂଶ ସାନକୋଦଣ୍ଡା ଗ୍ରାମର ଅଭିମନ୍ୟୁ ସ୍ବାଇଁଙ୍କ ବୋଲି ଜଣାପଡିଛି।

ଅଭିମନ୍ୟୁ ତାଙ୍କର କିଛି ଛେଳିକୁ ଚଢେୟାପଲ୍ଲୀ ଗ୍ରାମର ଖଲିଆ ଗୌଡକୁ ଭାଗ ଚାଷ କରିବା ପାଇଁ ଦେଇଥିଲେ। ଆଜିର ବଜ୍ରପାତରେ ତାଙ୍କ ଛେଳି ଗୁଡ଼ିକର ମୃତ୍ୟୁ ଘଟିଥିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରକାଶ କରିଛନ୍ତି। ତୁରନ୍ତ ଉଭୟଙ୍କ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ସେ ନିବେଦନ କରିଛନ୍ତି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ପ୍ରାଣୀଚିକିତ୍ସକଙ୍କୁ ଡାକି ମୃତ ଛେଳି ଓ ମେଣ୍ଢା ଗୁଡ଼ିକର ଶବ ବ୍ୟବଚ୍ଛେଦ କରିବା ପାଇଁ କହିଥିବା ଜଣାପଡିଛି।

The post ଭଞ୍ଜନଗରରେ ପ୍ରବଳ ବର୍ଷା ସହ ବଜ୍ରାଘାତ, ୨୫ଟି ମେଣ୍ଢା ଓ ଛେଳି ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/2THZYml