ସଇନ୍ତଳା : ଗାଁକୁ ରାସ୍ତା ଅଛି। ହେଲେ ପାଇପଲାଇନ କାମ ଅଧାପନ୍ତରିଆ ପଡ଼ିଛି। ଫଳରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଓ ଗ୍ରାମବାସୀ ଜଣେ ରୋଗୀଙ୍କୁ ୩ କିମି ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ଯାଏ ଆଣିଥିଲେ। ସଇନ୍ତଳା ବ୍ଲକ୍‌ କରମତଲା ପଂଚାୟତର ଭିର୍କାପଡ଼ା ଗାଁରେ ବୁଧବାର ଘଟିଥିବା ଏହି ଘଟଣାକୁ ଗାଁରେ ଅସନ୍ତୋଷ ଦେଖାଦେଇଛି।

ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଏହି ଗ୍ରାମର ପ୍ରସନ୍ନ ଛତ୍ରିଆ (୪୮)ଙ୍କୁ ପ୍ରବଳ ଜ୍ବର ଓ ପେଟବଥା ହେଉଥିଲା। ବୁଧବାର ସକାଳ ପ୍ରାୟ ୮ଟା ସମୟରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ସାଢ଼େ ୮ଟାରେ ଭିର୍କାପଡ଼ା ଅଭିମୁଖେ ଯାଇଥିଲା। ହେଲେ ରାସ୍ତା ଖରାପ ଥିବାରୁ ଗାଁଠାରୁ ୩ କିମି ଦୂରରେ ଅଟକି ରହିଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ଚାଲି ଚାଲି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହାୟତାରେ ରୋଗୀଙ୍କୁ ଷ୍ଟ୍ରେଚର ଯୋଗେ ବୋହି ଆଣିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତମାନ ବସୁଧା ଯୋଜନାରେ ଦାବଯୋରୀ ଗାଁ ସ୍କୁଲ ନିକଟରେ ଓଭରହେଡ ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲୁଛି। ଏହି ଟାଙ୍କିରୁ ଭିର୍କାପଡ଼ା ଓ ଦାବଯୋରୀ ଗ୍ରାମକୁ ଜଳ ଯୋଗାଣ ହେବ। ଏଥିପାଇଁ ପାଇପଲାଇନ କାମ ଜାରି ରହିଛି। ପାଇପ ବିଛାଇବା ପାଇଁ ମାଟି ଖୋଳି ରାସ୍ତା ଉପରେ ପକାଇ ଦିଆଯାଇଥିବା ଯୋଗୁଁ ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡ଼ୁଛି। ରାସ୍ତାରୁ ମାଟି ହଟାଇବାକୁ ଗ୍ରାମବାସୀ ବାରମ୍ବାର କହୁଥିଲେ ମଧ୍ୟ ଠିକାଦାର ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

The post ଅଧାପନ୍ତରିଆ ପାଇପଲାଇନ କାମ, ୩କିମି ରୋଗୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ ଓ ଗ୍ରାମବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/3l4RNfd