ସିନାପାଲି : ନୂଆପଡ଼ା ସୀମାନ୍ତରେ ପୁଣି ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି। ଛତିଶଗଡ଼ ରାଜ୍ୟ ମେନପୁର୍ ଥାନା ଅଞ୍ଚଳରେ ମାଓବାଦୀ ଜଣେ ଯୁବକଙ୍କୁ ପିଟି ପଟି ହତ୍ୟା କରିଛନ୍ତି। ମୃତକ ଜଣକ ଅମାମୋରା ଗ୍ରାମର ପର୍ଶୁରାମ ଭୁଞ୍ଜିଆ (୩୫ ବର୍ଷ) ବୋଲି ଜଣାପଡ଼ିଛି।

କିଛିଦନ ତଳେ ଯୁବକ ଜଣକ ନିଜ ଜମିକୁ ଚାଷ କାର୍ଯ୍ୟରେ ଯାଇଥିଲେ। ସେଠାରୁ ଫେରି ନିକଟସ୍ଥ ବାଜିମୁଣ୍ତା ନା​ଳାକୁ ଗାଧୋଇବାକୁ ଯାଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଗତ ୧୬ ତାରିଖ ଶୁକ୍ରବାର ତାଙ୍କ ଶବକୁ ମାଓବାଦୀମାନେ ଗାଁ ନିକଟରେ ଫିଙ୍ଗି ଦେଇଥିଲେ। ସେଠାରେ କିଛି ମାଓ ଫୋଷ୍ଟର ପକାଯାଇଛି, ଏସ୍‌ଡିକେ ସୁନାବେଡ଼ା ଧରମବନ୍ଧା ଓ କୋୟଲି ବେଡ଼ା, ଖୋଲି ବସ୍ତର ଏରିଆ କମିଟି ବୋଲି ଉଲ୍ଲେଖ୍ୟ ରହିଛି। ଶରୀରର ବିଭିନ୍ନ ସ୍ଥାନରେ ଦାଗ ଥିବାରୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି ବୋଲି ମେନପୁର୍ ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୁଲିସ ମାମଲା ରୁଜୁ କରି କମ୍ବିଂ ଅପରେସନ୍‌କୁ ଜୋରଦାର କରିଛି। ଥାନା ଅଧିକାରୀ ସତେନ୍ଦ୍ର ସିଂହ ଶ୍ୟାମ ଏନେଇ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ ପର୍ଶୁରାମ ସ୍ଥାନୀୟ ବନ ବିଭାଗରେ ଜଗୁଆଳି କାମ କରୁଥିଲେ। ସେ ୩ ଥର ମାଓ କ୍ୟାମ୍ପ ଠାବ କରାଇବାରେ ପୁଲିସ୍‌କୁ ସହାୟତା କରିଥିଲେ। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରୁ ୧୦ କିମି ଦୂରରେ ଥିବା ଅମାମୋରା ଗାଁ ମାଓପ୍ରବଣ ଥିଲା। ପୂର୍ବରୁ ମାଓବାଦୀ ଏଠାରେ ଅନେକ ହିଂସାକାଣ୍ଡ ଘଟାଉଥିଲେ। ଅନେକ ଦିନର ନିରବତା ପରେ ସୀମାନ୍ତରେ ପୁଣି ନିଜର ଉପସ୍ଥିତି ଜାହିର କରି ହତ୍ୟାକାଣ୍ଡ ଘଟାଇଛନ୍ତି। ଛତିଶଗଡ଼ ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

The post ସୀମାନ୍ତରେ ଉପସ୍ଥିତି ଜାହିର କଲେ ମାଓବାଦୀ, ବନ ବିଭାଗ ଜଗୁଆଳିଙ୍କୁ ହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3BhK5DZ