ଏସ୍‌. ରାମପୁର : ଡୁଙ୍ଗୁରିପାଲି ବ୍ଲକ୍‌ ଏସ୍‌. ରାମପୁର ତଥା ରାମପୁର ପେକ୍ସ ଅଧୀନରେ ଥିବା ନାଇକେନପାଲି, କଟାପାଲି ତଥା ଆଖପାଖ ଅଞ୍ଚଳର କିଛି ଚାଷୀଙ୍କ ଟୋକନ୍ ଲାପ୍ସ ହେବା ସହ କିଛି ଚାଷୀଙ୍କ ଆରମ୍ଭରୁ ହିଁ ଟୋକନ୍ ଆସିନଥିଲା। ସମସ୍ୟାର ସମାଧାନ ସକାଶେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ। କେହି ନଶୁଣିବାରୁ ବାଧ୍ୟ ହୋଇ ରାମପୁରସ୍ଥିତ ତହସିଲ କାର୍ଯ୍ୟାଳୟ ଭିତରେ ୧୦୦୦ ବସ୍ତା ଧାନ ଆଣି ଭରିଦେଇ କାର୍ଯ୍ୟାଳୟରେ ତାଲା ମାରିଥିଲେ। ଘଟଣାର ୬ ଦିନ ପରେ ସୋମବାର ଅପରାହ୍ଣ ୪ଟାରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁ ଏବଂ ଏସିଏସ୍‌ଓ ତ୍ରିନାଥ ଭୋଇ, ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଧା ଚାଷୀଙ୍କ ନିକଟକୁ ଆସି ବୁଝା ସୁଝା କରିଥିଲେ।

ବିଭାଗୀୟ ଅଧିକାରୀ ଏନେଇ ସରକାରଙ୍କୁ ରିପୋର୍ଟ କରିସାରିଛନ୍ତି। ପରବର୍ତ୍ତୀ ନିର୍ଦେଶ ଆସିବା ପରେ ଯାହାକିଛି ସମାଧାନ ହେବ। ଏଥିରେ ପ୍ରଶାସନର କିଛି ଭୂମିକା ନାହିଁ। ସରକାରଙ୍କ ନିର୍ଦେଶରେ ହିଁ ପ୍ରଶାସନ କାମ କରୁଛି ବୋଲି କହିଥିଲେ। ତେବେ ପରୋକ୍ଷରେ ଚାଷୀଙ୍କୁ ତାଗିଦ ବି କରିଥିଲେ। ଚାଷୀମାନେ ନିଜ ଜିଦରେ ଅଟଳ ରହିବା ଫଳରେ ତହସିଲ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଫଳରେ ପ୍ରଶାସନ ଏନେଇ କଠୋର ବି ହୋଇପାରେ ବୋଲି କହିଥିଲେ। ଚାଷୀମାନେ ଉପଜିଲ୍ଲାପାଳଙ୍କ ସବୁକଥା ଶୁଣିବା ପରେ ରୋକ୍ ଠୋକ୍ ମନା କରିଦେଇଥିଲେ। ଧାନ ନଉଠିଲେ ଆଉ ଫେରାଇ ନେବେ ନାହିଁ ବୋଲି କହିଥିଲେ। ଯେଉଁଦିନ ଧାନ ଉଠିବ ସେହିଦିନ ଘରକୁ ଯିବେ ବୋଲି କହିଥିଲେ।

The post ଟୋକନ୍ ଲାପ୍ସ ଘଟଣା: ୬ ଦିନ ପରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିଲେ ଉପଜିଲ୍ଲାପାଳ first appeared on Sambad.

from ଜିଲ୍ଲା | Sambad https://ift.tt/3yptN9R