
ବେଲପଡ଼ା : ବେଲପଡ଼ା ଅଞ୍ଚଳରେ ବେଆଇନ କଫ୍ସିରପ୍ କାରବାର ଜୋର୍ସୋରରେ ଚାଲିଛି। ଗତ କିଛିଦିନ ମଧ୍ୟରେ ଏଠାରୁ ବିପୁଳ ପରିମାଣରେ କଫ୍ସିରପ୍ ଜବତ କରାଯାଇଛି। ଗତ ୩୦ ତାରିଖ ବେଲପଡ଼ା ଥାନା ଅନ୍ତର୍ଗତ କପାଣି ଗାଁରୁ ପୁଲିସ ୧୨ ଶହ ବୋତଲ କଫ୍ସିରପ୍ ଜବତ କରି ୨ ଜଣଙ୍କୁ କୋର୍ଟଚାଲାଣ କରିଥିଲା। ଏହାପରେ ଗତ ୧ ତାରିଖ ବେଲପଡ଼ା ତାରିଣୀ ମନ୍ଦିର ପାଖରେ ରହୁଥିବା ଲଳିତ କାଣ୍ତଙ୍କ ଘରୁ ୨ଶହ ବୋତଲ କଫ୍ସିରପ୍ ଜବତ କରିବା ସହ ଲଳିତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ପୁଣି ରବିବାର ବେଲପଡ଼ା ଥାନା ମାଳୀମୁଣ୍ତା ଗାଁରେ ଆଇଆଇସି ବୁଲୁ ମୁଣ୍ତାଙ୍କ ନେତୃତ୍ବରେ ପୁଲିସ ଚଢ଼ଉ କରିଥିଲା। ସେଠାରୁ ୪ପେଟି (୬୪୦ବୋତଲ) କଫ୍ସିରପ୍ ସହ କିଛି ନିଶା ବଟିକା ଜବତ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୨ଟି ବାଇକ୍ ଓ ନଗଦ ୧୪ ହଜାର ୮ଶହ ଟଙ୍କା ମଧ୍ୟ ଜବତ ହୋଇଥିଲା। ଗିରଫମାନେ ହେଲେ କପାଣି ଗାଁର ବେପାରୀ ନୀଳ ମେହେର, ମାଳୀମୁଣ୍ଡାର ନିତ୍ୟାନନ୍ଦ ମେହେର, ଲୁକେଶ ନାଏକ ଓ ତୁରେକେଲା ଅଂଚଳର ତ୍ରିନାଥ ରଣା। ସୋମବାର ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇଦିଆଯାଇଛି।
ପ୍ରକାଶ ଥାଉକି, ଅଭିଯୁକ୍ତ ତ୍ରିନାଥ ରଣା ନାଁରେ ପୂର୍ବରୁ ତୁରେକେଲା ଥାନାରେ କଫ୍ସିରପ୍ କାରବାର ସହିତ ଲୁଣ୍ଠନ, ଡକାୟତି ଆଦି ମାମଲା ରହିଥିବା ଥାନାଧିକାରୀ ଶ୍ରୀ ମୁଣ୍ତା ସୂଚନା ଦେଇଛନ୍ତି।
The post ୬୪୦ ବୋତଲ୍ କଫ୍ ସିରପ୍ ଜବତ, ୪ ଅଭିଯୁକ୍ତ ଜେଲ୍ ଗଲେ first appeared on Sambad.from ଜିଲ୍ଲା | Sambad https://ift.tt/3AosdXE
0 Comments