ସମ୍ବଲପୁର : ବଡ଼ ବଡ଼ କଂପାନିର ଜିନିଷ ବ୍ୟବହାର କରିବାକୁ ଲୋକେ ପସନ୍ଦ କରିଥାନ୍ତି। ଏଥି ପାଇଁ ସେମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିଲେହେଁ ସେସବୁ ଖାତିର କରିନଥାନ୍ତି। ତେବେ, ଏହାକୁ ନଜରରେ ରଖି ସମ୍ବଲପୁର ଜିଲ୍ଲାରେ କିଛି ଅସାଧୁ ବ୍ୟବସାୟୀ ନକଲି ଜିନ୍ସ ପୋଷାକ ଉପରେ ବ୍ରାଣ୍ଡେଡ୍‌ କମ୍ପାନିର ଲୋଗୋ ଓ ଷ୍ଟିକର ଲଗାଇ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଲୋକମାନେ ବ୍ରାଣ୍ଡେଡ୍‌ ଭାବି ବିଶ୍ବାସର ସହ କିଣୁଥିବା ବେଳେ ଏହି ଅସାଧୁ ବ୍ୟବସାୟୀମାନେ ଲୋକଙ୍କୁ ଠକିବା ସଙ୍ଗେ ସଙ୍ଗେ ଦେଶକୁ ମଧ୍ୟ ଠକୁଛନ୍ତି। ମିଛ ବିଲ୍‌ କରି ବ୍ୟବସୀୟୀମାନେ ଟ୍ୟାକ୍ସ ଫାଙ୍କୁଛନ୍ତି।

ନକଲି ଜିନ୍ସ ଉପରେ ସ୍ପାର୍କିର ଲୋଗୋ ଲଗାଇ ବିକ୍ରି କରାଯାଉଥିବା ଦିଲ୍ଲୀର ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଟାଉନ୍‌ ପୁଲିସ ସୋମବାର ସନ୍ଧ୍ୟାରେ ଫ୍ୟାସନ ଵାର୍ଲ୍ଡ ଉପରେ ଚଢ଼ଉ କରିଥିଲା। ସ୍ପାର୍କିର ଲୋଗୋ ମରାଯାଇ ବିକ୍ରି କରାଯାଉଥିବା ୧୩୦ଟି ପୋଷାକ ଜବତ ମଧ୍ୟ କରିଥିଲା। କେବଳ ସେତିକି ନୁହେଁ ଏହାପରେ ମଙ୍ଗଳବାର ଟାଉନ୍‌ ପୁଲିସ ଆଉ ଏକ ଗୋଦାମ ଓ ଦୋକାନ ଉପରେ ଚଢ଼ଉ କରିଥିଲା। ସେଠାରୁ ମଧ୍ୟ ବିପୁଳ ପରିମାଣର ନକଲି ଜିନ୍ସ ଜବତ କରିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟାଉନ ପୁଲିସ ମଙ୍ଗଳବାର ଗୋଲବଜାର ସ୍ଥିତ ପ୍ରିନ୍ସ କଲେକ୍‌ସନ୍‌ ଉପରେ ଚଢଉକରି ସ୍ପାର୍କିଂ ଲୋଗୋ ମରାଯାଇ ବିକ୍ରି କରାଯାଉଥିବା ୬୦ଟି ନକଲି ଜିନ୍ସକୁ ଜବତ କରିଥିଲା। ଏହା ସହିତ ଗୁଜୁରାତି କଲୋନିରେ ଥିବା ଅଜୟ ମୁର୍ଜାନିଙ୍କ ଗୋଦାମରେ ମଧ୍ୟ ମଙ୍ଗଳବାର ପୁଲିସ ଚଢଉକରି ୪୬୪ଟି ନକଲି ଜିନ୍ସ ଜବତ କରିଥିଲା। ଏସବୁ ମାମଲାରେ ଅଜୟ ମୁର୍ଜାନି(୫୨), ଅସ୍‌ଗର ଖାନ୍‌(୩୩) ଓ ମହମ୍ମଦ ସେରୁ(୪୨)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

କେବଳ ଟାଉନ୍‌ ଥାନା ପୁଲିସ ଦୁଇ ଦିନରେ ୬୫୦ରୁ ଅଧିକ ପୋଷାକ ଜବତ କରିଥିବା ବେଳେ ଅନ୍ୟ ଅଞ୍ଚଳରେ ମଧ୍ୟ ଚଢ଼ଉ କରିବାକୁ ସାଧାରଣରେ ଦାବି ହୋଇଛି। କେବଳ ସ୍ପାର୍କି ନୁହେଁ, ଅନ୍ୟ କେତେକ କଂପାନିର ନକଲି ଲଗୋ ଲଗାଇ ଲୋକଙ୍କୁ ଚଢ଼ାଦାମରେ ବିକ୍ରି କରାଯାଉଛି।

The post ବଢି ଚାଲିଛି ନକଲି ଜିନ୍ସ ପୋଷାକ କାରବାର, ଟାଉନ୍‌ ପୁଲିସ ଜବତ କଲାଣି ୬୫୦ରୁ ଅଧିକ ଜିନ୍ସ first appeared on Sambad.

from ଜିଲ୍ଲା | Sambad https://ift.tt/3AINsDO