
ରାଉରକେଲା: ପରିତ୍ୟକ୍ତ ହୋଇପଡିଛି ସେକ୍ଟର-୨୧ ନୟାବଜାର ବିଇଡି କଲେଜ ନିକଟ ଆର୍ଏସ୍ପିର ୩୦୦ ପରିତ୍ୟକ୍ତ କ୍ବାର୍ଟର୍ସ। ଦେଖାରେଖା କରିବାକୁ କେହି ନାହାନ୍ତି। ସେମିତି ଖୋଲାମେଲା ଛାଡି ଦିଆଯାଇଛି। ଫଳରେ ସଞ୍ଜ ନଇଁଲେ ଜମୁଛି ଅସାମାଜିକ ଯୁବକ, ଅପରାଧିକଙ୍କ ଆଡ୍ଡା। ତିଆରି ହେଉଛି ଚୋରି, ଡକାୟତିର ବ୍ଲୁପ୍ରିଣ୍ଟ। ରାତି ଅଧରେ ଯୋଜନାକୁ ବାସ୍ତବ ରୂପ ଦେଉଛନ୍ତି ଏହି ଅପରାଧୀମାନେ। ସ୍ଥାନୀୟ ଅଞ୍ଚଳ ଓ ଏହାର ଆଖପାଖରେ ସରକାରୀ ଓ ବେସରକାରୀ କ୍ବାର୍ଟର୍ସରୁ ଚୋରି, ଡକାୟତି କରୁଛନ୍ତି। କେତେବେଳେ କାହା ଘରର ତାଲା ଭାଙ୍ଗି ସୁନାଗହଣା ତ ଅନ୍ୟ କେତେବେଳେ ଆସବାପତ୍ର ଚୋରି କରି ନେଉଛନ୍ତି। କେବଳ ଏତିକି ନୁହେଁ ଘର ଆଗରେ ଛିଡା ହେଉଥିବା ଯାନବାହାନକୁ ମଧ୍ୟ ଛାଡୁ ନାହାନ୍ତି।
ବାରମ୍ବାର ଚୋରି ହେଉଥିଲେ ହେଁ ଟେର୍ ପାଉନି ପୁଲିସ। ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ପୁଲିସ ଆସୁଛି। ଯାଞ୍ଚ କରି ଚାଲି ଯାଉଛି। ପରବର୍ତ୍ତୀ ସମୟରେ ସ୍ଥିତି ଯେମିତିକୁ ସେମିତି। ଗତ ସପ୍ତାହ ମଧ୍ୟରେ ନୟାବଜାର ଅଞ୍ଚଳରେ ତିନିଟି ସ୍ଥାନରେ ଚୋରି ହୋଇଛି। ଠିକାଦାର, ଦିବ୍ୟାଙ୍ଗ ଓ ଜଣେ ଅଟୋ ଡ୍ରାଇଭରଙ୍କ ଘରୁ ଚୋରି ହୋଇଯାଇଛି। ଅଦ୍ୟାବଧି ପୁଲିସ ଜଣଙ୍କୁ ହେଲେ ଗିରଫ କରିବାରେ ସଫଳ ହୋଇନି। ସେପଟେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତିକୁ ସେମିତି ଛାଡି ଦିଆଯାଇଥିବାରୁ ଦୈନନ୍ଦିନ ରାତିରେ ଚୋରି ହେଉଛି। ଚୋରମାନେ କବାଟ, ଝରକା, ଗ୍ରୀଲ ସହ ଆଜବେଷ୍ଟସ୍ ଗୁଡ଼ିକୁ ଖୋଲି ନେଇଯାଉଛନ୍ତି। ଗତ ସପ୍ତାହ ମଧ୍ୟରେ ପ୍ରାୟ ଅର୍ଦ୍ଧାଧିକ କ୍ବାର୍ଟର୍ସର ଝରକା, କବାଟ ଓ ଆଜବେଷ୍ଟସ୍ ଚୋରମାନେ ଚୋରି କରି ନେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ଯଦି ଏବେଠୁ ଚୋରି ରୋକା ନଯାଏ ଆଗାମି ଦିନରେ ୩୦୦ କ୍ବାର୍ଟର୍ସର ସମସ୍ତ ଝରକା, କବାଟ ଓ ଆଜବେଷ୍ଟସନ ଚୋରି ହୋଇଯିବାର ସମ୍ଭାବନା ରହିଛି। ଆର୍ଏସ୍ପି ସହରସେବା ବିଭାଗ ଚୋରି ହୋଇଯାଉଥିବା ସରକାରଙ୍କ ସମ୍ପତ୍ତିକୁ ରୋକିବା ସହ ସୁରକ୍ଷାକର୍ମୀ ମୁତୟନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପ୍ରତିଷ୍ଠା ବେଳେ ସେକ୍ଟର-୨୧ ନୟାବଜାର ସିଆଇଏସ୍ଫ ଯବାନଙ୍କ ରହିବା ପାଇଁ ୩୦୦ରୁ ଅଧିକ କ୍ବାର୍ଟର୍ସର ନିର୍ମାଣ ହୋଇଥିଲା। ଏହାକୁ ପ୍ରଥମେ ସିକ୍ୟୁରିଟି କଲୋନି ଓ ପରେ ସିଆଇ୍ଏସ୍ଏଫ୍ କଲୋନି କୁହାଯାଉଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ କ୍ବାର୍ଟର୍ସଗୁଡ଼ିକ ବିପଦସଙ୍କୁଳ ହେବାରୁ ସିଆଇଏସ୍ଏଫ୍ ଯବାନମାନେ ଗୋଟିଏ ପରେ ଗୋଟିଏ କ୍ବାର୍ଟର୍ସକୁ ଖାଲି କରିଦେଇଥିଲେ। ଗତ ପ୍ରାୟ ମାସକ ତଳେ କ୍ବାର୍ଟର୍ସଗୁଡ଼ିକ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା। ସେଠାରେ କିଛି ଲୋକ ଜୋରଜବରଦସ୍ତ ରହୁଥିଲେ। ଆର୍ଏସ୍ପି କ୍ବାର୍ଟର୍ସରୁ ବିଜୁଳି ଓ ପାଣି ସଂଯୋଗ କାଟି ଦେବା ପରେ ଯେଉଁମାନେ ରହିଥିଲେ ସେମାନେ ମଧ୍ୟ ଛାଡି ଦେଇଥିଲେ।
The post ୩୦୦ ପରିତ୍ୟକ୍ତ କ୍ବାର୍ଟର୍ସ ଅସାମାଜିକ ଆଡ୍ଡାସ୍ଥଳୀ, ତିଆରି ହେଉଛି ଚୋରି-ଡକାୟତର ବ୍ଲୁପ୍ରିଣ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3xoAPM2
0 Comments