କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ କନ୍ଦେଇ ପଞ୍ଚାୟତରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ପଞ୍ଚାୟତ ଟିକ୍ରପଡ଼ା ଗାଁର ଯୁବକ ଅନାଦି ବାଗ ଦିନ ୧ଟାରେ ନିଜ ଘରେ ନିଆଁ ଲାଗାଇ ଦେଇଥିଲେ। ଖବର ପାଇ ତୁରେକେଲ ଥାନା ଅଧିକାରୀ ଏବଂ କଂଟାବାଞ୍ଜି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଥାନା ଅଧିକାରୀ କମଳ ଲୋଚନ ବେହେରା ଓ ଅଗ୍ନିଶମ ବିଭାଗର ଅସିତ ଜେନାଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଦିନ ୧ଟାରେ ଅନାଦି ନିଜ ଘରେ ନିଆଁ ଲଗାଇଥିଲେ। ପରେ ନିଜ ବାଇକ୍‌କୁ ମଧ୍ୟ ଭାଙ୍ଗି ଚୂରମାର କରିଦେଇଥିଲେ। ଯୁବକଙ୍କ ମାନସିକ ବିକୃତି ଥିବା ଗ୍ରାମବାସୀ ପୁଲିସକୁ କହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ପରେ ଯୁବକ ଜଣକ କନ୍ଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ପଶି ସରପଞ୍ଚଙ୍କ ଚୌକି ବାହାର କରି ବାହାରେ ବସିଥିଲେ। କାର୍ଯ୍ୟାଳୟରେ ଲାଗିଥିବା ମହାତ୍ମା ଗାନ୍ଧୀ, ଲାଲବାହାଦୁର ଶାସ୍ତ୍ରୀ ଏବଂ ସୁଭାଷ ବୋଷଙ୍କ ଫଟୋଚିତ୍ରକୁ ଆଣି ରାସ୍ତାରେ ରଖି ହୋହଲ୍ଲା କରିଥିଲେ। ତୁରେକେଲା ପୁଲିସ ଘଟଣାସ୍ଥଳକୁ ଯାଇ ଯୁବକଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ କରୁଛନ୍ତି। ଯୁବକଙ୍କ ବଡ଼ଭାଇଙ୍କୁ ଡାକି ଅନାଦିକୁ ଜିମା ଦେଇଥିବା ଥାନା ଅଧିକାରୀ କହିଛନ୍ତି।

The post ନିଜ ଘର ଜାଳିଦେଲେ ଯୁବକ, ପଞ୍ଚାୟତ ଅଫିସ୍‌ରେ ସରପଞ୍ଚଙ୍କ ଚୌକିରେ ବସିଲେ first appeared on Sambad.

from ଜିଲ୍ଲା | Sambad https://ift.tt/3yJN6Lg