
କୋଣାର୍କ: ଗତପୂର୍ଣ୍ଣିମାଠାରୁ ଅଶାନ୍ତ ହୋଇପଡ଼ିଥିବା କୋଣାର୍କ-ପୁରୀ ବେଳାମାର୍ଗ ପାର୍ଶ୍ବସ୍ଥ ବଙ୍ଗୋପସାଗର ଏବେ ଲଘୁଚାପ ପ୍ରଭାବରେ ଉଗ୍ରରୂପ ଧାରଣ କରିଛି । ବଙ୍ଗୋପସାଗରରେ ସୃଷ୍ଟି ଜୁଆର ପ୍ରବଳ ମାତ୍ରାରେ ଆସି କୂଳରେ ପିଟି ହେଉଛି। ଫଳରେ କୋଣାର୍କ- ପୁରୀ ବେଳାମାର୍ଗ ପାର୍ଶ୍ବରେ ଥିବା ବେଳାଭୂମି ବିଭିନ୍ନ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି। ବେଳାମାର୍ଗରେ ଆୟୋଜିତ ହେଉଥିବା ଇକୋ-ରିଟ୍ରିଟ ଉତ୍ସବସ୍ଥଳ ନିକଟରେ ଗତ କିଛି ସପ୍ତାହ ପୂର୍ବରୁ ବଙ୍ଗୋପସାଗର ଓ କୁଶଭଦ୍ରା ନଦୀର ସଂଗମସ୍ଥଳୀ ମୁହାଣର ମୁହଁ ଖୋଲିଛି। ବେଳାଭୂମିରେ ସମ୍ବେଦନଶୀଳ ସ୍ଥାନ ଭାବେ ମୁହାଣମୁହଁକୁ ବୁଝା ଯାଇଥାଏ। ଏହି ସ୍ଥାନରେ ଜଳସ୍ରୋତର ପ୍ରକୋପ ଅଧିକ ରହିଥାଏ। ମୁହାଣ ନିକଟରେ ହିଁ ଜୁଆରର ପ୍ରକୋପ ଜୋର ଧରିଥାଏ। ଏବେ ସମୁଦ୍ରରେ ସୃଷ୍ଟି ହେଉଥିବା ଜୁଆର ଦିନକୁ ଦିନ ମୁହାଣମୁହଁ ଦେଇ କୁଳ ଆଡ଼କୁ ମାଡ଼ି ଆସୁଥିବା ଦେଖାଯାଇଛି।ଫଳରେ ଇକୋ ରିଟ୍ରିଟ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଅର୍ଥ ବିନିମୟରେ ଯେଉଁ ବାଲି ସମତୁଲ ଓ ପଥର ପ୍ୟାକିଂ ବ୍ୟବସ୍ଥା କରାଯାଇଥିଲା ତାକୁ ସମୁଦ୍ର ଭସାଇ ନେଇଥିବାର ଦେଖାଯାଇଛି।
ଏବେ ଲଘୁଚାପ ପାଇଁ ସମୁଦ୍ର ଫୁଲିବା ଆରମ୍ଭ ହୋଇଛି। ଫଳରେ ସମୁଦ୍ରରେ ସୃଷ୍ଟି ହେଉଥିବା ବଡ଼ବଡ଼ ଜୁଆର ଆସି କୋଣାର୍କ- ପୁରୀ ବେଳାମାର୍ଗ ପୁରୁଣା ରାସ୍ତାର ସୁରକ୍ଷା ପାଚେରି ଦେହରେ ସିଧାସଳଖ ପିଟି ହେଉଥିବାର ଦେଖାଯାଇଛି। ସମୁଦ୍ର ଓ ବେଳମାର୍ଗ ମଧ୍ୟରେ ଆଉ ମାତ୍ର କେଇ ମିଟରର ଦୂରତା ରହିଛି। ଗତ ପୂର୍ଣ୍ଣିମାଠାରୁ ଅଶାନ୍ତ ହୋଇ ପଡ଼ିଥିବା ବଙ୍ଗୋପସାଗର ଲଘୁଚାପ ପ୍ରଭାବରେ ଏବେ ଭୟଙ୍କର ରୂପ ଧାରଣ କରିଥିବାର ଦେଖାଯାଇଛି । ଇକୋ ରିଟ୍ରିଟ ଆୟୋଜନ ହୋଇଥିବା ସ୍ଥାନଠାରୁ କୋଣାର୍କ ଆଡ଼କୁ ଅସ୍ଥାୟୀ କଇଁଛ ସୁରକ୍ଷା ଶିବିର ଦେଇ ଚନ୍ଦ୍ରଭାଗା ବଜାର ଓ ନୋଳିଆସାହିଠାରୁ ତଣ୍ଡାହାର ନିକଟରେ ବିଭିନ୍ନ ସ୍ଥାନରେ ସମୁଦ୍ର କୂଳ ଖାଇ ଅତଡ଼ା ଖସିବା ଆରମ୍ଭ ହୋଇଥିବାର ଦେଖାଯାଇଛି। ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ଯେଉଁଠି ବେଳାଭୂମିର ମଜା ଉଠାଉଥିଲେ ଏବେ ସେଠାରେ ପାଦ ଥୋଇବା ବିପଜ୍ଜନକ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର କୁଳ ଖାଉଥିବା ସ୍ଥାନଠାରୁ ଯଥେଷ୍ଟ ନିରାପଦ ଦୂରତାରେ ଜନସାଧାରଣଙ୍କୁ ରହିବା ଲାଗି ବେଳାମାର୍ଗର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇବା ଲାଗି ବୁଦ୍ଧିଜୀବି ମହଲରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ସୂଚନାଯୋଗ୍ୟ ଯେ ବେଳାଭୂମିରୁ ବାଲିଝଡ଼ରେ ହେଉଥିବା ମୂର୍ତ୍ତିକାକ୍ଷୟ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବେଳାମାର୍ଗ ପାର୍ଶ୍ବରେ ସୁରକ୍ଷା ପାଚେରି ନିର୍ମାଣ କାର୍ଯ୍ୟ ଜାରି ରହିଛି।
The post ବେଳାମାର୍ଗରେ କୂଳ ଖାଉଛି ସମୁଦ୍ର: ସୁରକ୍ଷା ପାଚେରି କଡ଼ରୁ ତାଡ଼ିନେଲା ବାଲି, ଭସାଇନେଲା ଗଛ first appeared on Sambad.from ଜିଲ୍ଲା | Sambad https://ift.tt/2UNiJ8F
0 Comments