ଆନନ୍ଦପୁର : ଘସିପୁରା ଥାନା ଅତାସାହି ଓ ହାତୀଶିଳା ଗ୍ରାମରେ ସିରିଜ ଲୁଟ୍‌ ହୋଇଛି। ଅତାସାହିରେ ପରିବାର ମୁଖ୍ୟଙ୍କୁ ମାଡ଼ମାରି ଓ ହାତୀଶିଳାରେ ଛୁରି ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ତିନିଜଣ ଦୁର୍ବୃତ୍ତ ଅତାସାହିର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘରେ ପଶିଥିଲେ। ପରିବାର ଲୋକେ ଉଠି ପଡ଼ିବାରୁ ‌ଦୁର୍ବୃତ୍ତମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ମାଡ଼ ମାରି ଦଶ ହଜାର ଟଙ୍କା ଲୁଟି ନେବା ସହିତ ପତ୍ନୀଙ୍କ କାନରୁ ସୁନା କାନଫୁଲ ଛିଣ୍ଡାଇ ନେଇ ଫେରାର ହୋଇଯାଇଥିଲେ। ସେହିପରି ଗ୍ରାମର ଗୋପୀନାଥ ସାହୁଙ୍କ ଘରୁ ମଧ୍ୟ ଟଙ୍କା, ସୁନାଅଳଙ୍କାର ଲୁଟ୍ ହୋଇଛି। ଗ୍ରାମର ବିନୋଦ ବିହାରୀ ସାହୁ, ଧର୍ମାନନ୍ଦ ସେଠୀଙ୍କ ଘରୁ ଚୋରି ଉଦ୍ୟମ କରି ଦୁର୍ବୃତ୍ତମାନେ ବିଫଳ ହୋଇଛନ୍ତି। ପରେ ହାତୀଶିଳା ଗ୍ରାମର ରାସ୍ତାକଡ଼ରେ ରହୁଥିବା ରବୀନ୍ଦ୍ର ଯେନା ଓ ପୁନିଆ ଯେନାଙ୍କ ଘରେ ପଶି ଦୁର୍ବୃତ୍ତମାନେ ପରିବାର ଲୋକଙ୍କୁ ଛୁରି ଦେଖାଇ ଟଙ୍କା ଏବଂ ସୁନାଗହଣା ଲୁଟି ନେଇଛନ୍ତି। ଏସବୁ ଲୁଟ୍‌ରେ ସ୍ଥାନୀୟ ଅଞ୍ଚଳର କିଛି ଦୁର୍ବୃତ୍ତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଦୁର୍ବୃତ୍ତଙ୍କ ସମ୍ପର୍କ‌ରେ କୌଣସି ଟେର୍‌ ପାଇନାହିଁ।

The post ଆନନ୍ଦପୁର: ମାଡ଼ମାରି ଟଙ୍କା, ସୁନାଗହଣା ଲୁଟିଲେ first appeared on Sambad.

from ଜିଲ୍ଲା | Sambad https://ift.tt/36nSzeN