ସୁନ୍ଦରଗଡ଼ : ଜିଲ୍ଲାର ୧୮୧ ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କ ପୁନଃ ନିଯୁକ୍ତି ଦାବିରେ ବୁଧବାର ଆଇସିଟି ସ୍କୁଲ ସଂଯୋଜକ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ଗଣଶିକ୍ଷା ବିଭାଗକୁ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଦୀର୍ଘ ୫ ବର୍ଷ ଧରି ଆଇସିଟି (ଇ-ବିଦ୍ୟାଳୟ) ଯୋଜନାରେ କାର୍ଯ୍ୟ କରି ଆସୁଥିବା ଜିଲ୍ଲାର ୧୮୧ ସମେତ ରାଜ୍ୟର ୪ ହଜାର କମ୍ପ୍ୟୁଟର୍ ଶିକ୍ଷକଙ୍କୁ ଛଟେଇ କରାଯାଇଛି। ଫଳରେ ସେମାନେ ବରୋଜଗାର ହୋଇ ବସିଛନ୍ତି। ତେଣୁ ସେମାନଙ୍କ ସହ ପରିବାରର ଜୀବନ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁନଃନିଯୁକ୍ତି ପ୍ରଦାନ, ବିଶେଷ କରି ସଂଘର ଆବେଦନକ୍ରମେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଗତ ୨୦୨୧ ଜୁନ ୮ରେ କମ୍ପ୍ୟୁଟର ଶିକ୍ଷକମାନଙ୍କ ନିଯୁକ୍ତି ନେଇ ଏକ ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଶିକ୍ଷା ବିଭାଗକୁ ଦେଇଥିବା ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା, ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିବା, କରୋନା ପାଇଁ ଚାଲିଥିବା ୟୁଟ୍ୟୁବ କ୍ଲାସ୍ ତଥା ଦୀକ୍ଷାଦର୍ପଣ କାର୍ଯ୍ୟକ୍ରମ ଇ-ପାଠଶାଳାରେ ପଢ଼ାଇବାକୁ ଛଟେଇ କମ୍ପ୍ୟୁଟ ଶିକ୍ଷକଙ୍କୁ ସୁଯୋଗ ଦେବାକୁ ସଂଘ ଦାବି କରିଛି। ସଂଘ ସଭାପତି ରଜତ କୁମାର ପଟେଲଙ୍କ ନେତୃତ୍ବରେ ସମ୍ପାଦକ ରଶ୍ମୀକାନ୍ତ ପଟେଲ, ତରୁଣ କୁମାର ସାହୁ, ପ୍ରଦୀପ କୁମାର ଅଗ୍ରୱାଲ, ସତ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

The post ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ ମିଳୁନି ନିଯୁକ୍ତି, ଜିଲ୍ଲାପାଳଙ୍କୁ ଭେଟିଲେ ଛଟେଇ କମ୍ପ୍ୟୁଟର ଶିକ୍ଷକ first appeared on Sambad.

from ଜିଲ୍ଲା | Sambad https://ift.tt/3AEPMLR