
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ପଞ୍ଚାୟତ ସମିତିର ତତ୍କାଳୀନ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କୁ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଦୁର୍ବ୍ୟବହାର କରିବା, ଜାତିଆଣ ଆକ୍ଷେପ, ଦସ୍ତଖତ ଜାଲିଆତି ଅଭିଯୋଗ ପ୍ରସଙ୍ଗ ପୁଣି ତେଜିଛି। ଶ୍ରୀମତୀ ବେହେରାଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ନିରବ ରହିଥିବା ଅଭିଯୋଗ ଆସିଛି। ଏପରିକି ଉପଜିଲ୍ଲାପାଳଙ୍କ ତଦନ୍ତ ପରେ ଦସ୍ତଖତ ଜାଲିଆତି ଜଣାପଡ଼ିଥିବା ବେଳେ କାର୍ଯ୍ୟାନୁଷ୍ଠାନ ନାହିଁ। ଆଜି ଏହାର ପ୍ରତିବାଦରେ ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚ ଓଡ଼ିଶା ରାଜରାସ୍ତାକୁ ଓହ୍ଲାଇଥିବା ଦେଖାଯାଇଛି। ଏପରିକ ଶ୍ରୀ ପରିଡ଼ା ଓ ତାଙ୍କର ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଅନଶନ ଜାରି ରହିବ ବୋଲି ମଞ୍ଚ ଚେତାଇ ଦେଇଛି।
ମଞ୍ଚର ସଭାପତି ବିଦ୍ୟାଧର ଦେହୁରୀଙ୍କ ସମେତ, ଉପସଭାପତି ସୁରେଶ ଚନ୍ଦ୍ର ନାୟକ, ଆମ୍ବେଦକର ବିଚାର ମଞ୍ଚର ସଭାପତି ଦେବରାଜ ନାୟକ, କମଳିନୀ ପାଟ୍ଟଶାଣୀ ପ୍ରମୁଖ ପ୍ରଶାସନ ବିରୋଧରେ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଶାନ୍ତିଲତା ବେହେରା ମଧ୍ୟ ସାମିଲ୍ ହୋଇଥିଲେ। ସଂଗଠନର ଏକ ପ୍ରତିବାଦ ଶୋଭାଯାତ୍ରା ନୟାଗଡ଼ ଡାକବଙ୍ଗଳା ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚର ସଭାପତି ଶ୍ରୀ ଦେହୁରୀ ଓ ଅନ୍ୟମାନେ ଗୟାଧର ପରିଡ଼ାଙ୍କ ବିରୋଧରେ ବର୍ଷିଥିଲେ। ଶ୍ରୀ ପରିଡ଼ା ଶାସକ ଦଳର ନେତା ହୋଇଥିବାରୁ ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଥିବା କହିଥିଲେ। ଅଧ୍ୟକ୍ଷାଙ୍କ ଦସ୍ତଖତ ଜାଲିଆତି କରି ଭାପୁର ପଞ୍ଚାୟତି ସମିତିରେ ୮୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି।
ଏହାର ମୁଖ୍ୟ କାର୍ପଟଦାର ଉପାଧ୍ୟକ୍ଷ ଗୟାଧରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ପ୍ରଶାସନ ପୁରସ୍କୃତ କରୁଛି ବୋଲି ମଞ୍ଚ କହିଛି। ଦେଶରେ ଅନୁସୂଚିତ ଜାତି, ଜନଜାତି ନିର୍ଯାତନା ନିବାରଣ ଆଇନ ୧୯୮୯ ବଳବତ୍ତର ରହିଛି। ଶାନ୍ତଲତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ, ଫତେଗଡ଼ ପୁଲିସ କାହା ଚାପରେ ଡରୁଛି ବୋଲି ମଞ୍ଚ ସଭାପତି ଶ୍ରୀ ଦେହୁରୀ ପ୍ରଶ୍ନ କରିଛନ୍ତି। ଏହା ସମଗ୍ର ଦଳିତ ସମାଜ ପାଇଁ ଅପମାନ ବୋଲି ମଞ୍ଚ କହିଛି। ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ତଥା ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା, ମାରିବାକୁ ଧମକ ଦେଇଥିବା, ତାଙ୍କ ଦସ୍ତଖତ ଜାଲିଆତି କରିଥିବା ଉପାଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ପ୍ରତିବାଦ ସଭା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶାନ୍ତିଲତାଙ୍କୁ ନ୍ୟାୟ ପ୍ରଦାନ କରାନଗଲେ ନୟାଗଡ଼ ଜିଲ୍ଲାରୁ ନେଇ ରାଜ୍ୟସ୍ତରରେ ଏହି ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗାପୂଜା ମଣ୍ଡପରେ ମଞ୍ଚ ପକ୍ଷରୁ ଧାରଣା, ଅନଶନ ଆଜି ଅପରାହ୍ଣରୁ ଜାରି ରହିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହା ଜାରି ରହବି ବୋଲି ମଞ୍ଚ ପକ୍ଷରୁ ସୂଚନା ମିଳିଛି।
The post ପୂର୍ବତନ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର, ଦସ୍ତଖତ ଜାଲିଆତି ପ୍ରସଙ୍ଗ: ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ଗିରଫ ଦାବି first appeared on Sambad.from ଜିଲ୍ଲା | Sambad https://ift.tt/2XRWqQ1
0 Comments