ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାର ଆଉ ଏକ ବଡ ପଦକ୍ଷେପ ନେଉଛନ୍ତି। ଆଗାମୀ ଦିନରେ ମାଲକାନଗିରିରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହେବ।ଏନେଇ ଏକ ଚାରି ଜଣିଆ ପ୍ରତିନିଧି ଦଳ ମାଲକାନଗିରି ମେଡିକାଲରେ ପହଞ୍ଚି ତଦାରଖ କରିଛି। ରାଜ୍ୟ ସ୍ବାସ୍ଥ୍ୟ ସେବା ନିର୍ଦେଶକ ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ବରେ ଆସିଷ୍ଟାଣ୍ଟ ଡିଏମଇଟି ରମାକାନ୍ତ ତ୍ରିପାଠୀ,ଏସିବି ମେଡିକାଲ କଲେଜର ଡିନ ଜଜ୍ଞେଶ୍ବର ହୋତା,ଏସିବି ମେଡିକାଲ କଲେଜର ସର୍ଜରୀ ବିଭାଗର ମୁଖ୍ୟ ବନ ବିହାରୀ ମିଶ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ପହଞ୍ଚି ମେଡିକାଲର ତଦାରଖ କରିଥିଲେ।

ଆଗାମୀ ଦିନରେ ମାଲାକନଗିରି ଜିଲ୍ଲାର ଗୁରୁତର କିଡନୀ ରୋଗୀ,କାଡିଓଲୋଜି,ୟୁରୋଲୋଜି ଭଳି ରୋଗୀଙ୍କ ସଫଳ ଅସ୍ତ୍ରପ୍ରଚାର କରିବେ ଦକ୍ଷ ପ୍ରଫେସରମାନେ। ମାସକୁ ଥରେ ଦକ୍ଷ ମେଡିକାଲ ପ୍ରଫେସରମାନେ ହେଲିକେପ୍ଟର ଯୋଗେ ମାଲକାନଗିରି ପହଞ୍ଚି ରୋଗୀଙ୍କ ସେବା ଯୋଗାଇବେ ବୋଲି ଜଣାପଡିଛି। ତେବେ ଏଥିପାଇଁ ମେଡିକାଲରେ ଆବଶ୍ୟକୀୟ ଯନ୍ତ୍ରପାତି ରହିଛି କି ନାହିଁ ସେନେଇ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ।

ଆବଶ୍ୟକୀୟ ଯନ୍ତ୍ରପାତି ମେଡିକାଲରେ ରହିବା ପରେ ରାଜ୍ୟରେ ପ୍ରଥମ କରି ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ କରାଯିବ ବୋଲି ସିଡିଏମଓ ପ୍ରଫୁଲ କୁମାର ନନ୍ଦ ପ୍ରକାଶ କରିଛନ୍ତି।ତେବେ ମାଲାକନଗିରିର ଗରିବ ଅସହାୟ ଲୋକେ ଯେଉଁମାନେ ନିଜର ଉତ୍ତମ ଚିକିତ୍ସା ଅର୍ଥ ଅଭାବରୁ ବାହାର ରାଜ୍ୟକୁ ଯାଇ ଚିକିତ୍ସା କରାଇପାରୁ ନଥିଲେ ଏବେ ସଂପୂର୍ଣ୍ଣ ଚିକିତ୍ସା ମାଗଣାରେ ଏଠାରେ ହୋଇପାରିବ ବୋଲି କୁହାଯାଇଛି।

The post ମାଲକାନଗିରିରେ ଆରମ୍ଭ ହେବ ବାୟୁ ସ୍ବାସ୍ଥ୍ୟ ସେବା first appeared on Sambad.

from ଜିଲ୍ଲା | Sambad https://ift.tt/3jgQAjo