ପାରଳାଖେମୁଣ୍ତି : ବିଗତ କିଛି ଦିନ ହେଲା ଗଜପତି ଜିଲ୍ଲାରେ ଥଣ୍ତା, କାଶ ଓ ଜ୍ବରରେ ଆକ୍ରାନ୍ତ ରୋଗୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ଛୋଟ ପିଲା, ୧୮ ବର୍ଷ ତଳକୁ ଯୁବବର୍ଗ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଯାହାକୁ ନେଇ କରୋନା ତୃତୀୟ ଲହର ଆଡ଼କୁ ଗଜପତି ମୁହାଁଉଥିବା ବୁଦ୍ଧିଜୀବୀ ମାନେ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ସଂକ୍ରମଣ ହାର କମିବା ପରେ ଗତ ୧ ମାସ ହେଲା କରୋନା ପରୀକ୍ଷା ମଧ୍ୟ ହ୍ରାସ ପାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କରୋନା ପରୀକ୍ଷା ଆଉ ହେଉନାହିଁ। ମୁଖ୍ୟ ଚିକିତ୍ସାଳୟ ଏବ˚ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ତପରେ ସୀମିତ ସମୟ ପାଇଁ କରୋନା ପରୀକ୍ଷା କରାଯାଉଛି। ବିଶେଷ କରି ଆର‌ଟିପିସିଆର‌୍‌ ପରୀକ୍ଷା ସ˚ଖ୍ୟା କମିଛି। ରାଜ୍ୟ ସରକାରଙ୍କ ପଞ୍ଚସୂତ୍ରୀ ନିୟମ ବଟବଣା ହୋଇଛି। ଗ୍ରାମାଞ୍ଚଳରେ ଲୋକେ ପୁରା ଢିଲା ହୋଇ ଯାଇଛନ୍ତି। ଭୋଜିଭାତର ଆସର ଜମିବା ସହ ହଜାର ହଜାର ଲୋକଙ୍କ ସମାଗମ ହେଉଛି। ତେଣୁ ସ୍ଥିତି ସାଂଘାତିକ ହେବା ଆଗରୁ ଜିଲ୍ଲା ପ୍ରଶାସନ ସାବଧାନ ହେବା ନିମନ୍ତେ ମତ ପ୍ରକାଶ ପାଇଛି।

ଗଜପତି ଜିଲ୍ଲା ଚିକିତ୍ସାଧିକାରୀ ଡ.ପ୍ରଦୀପ କୁମାର ପାତ୍ର କହିଛନ୍ତି, ବର୍ତ୍ତମାନ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଉପରେ କଡ଼ା ନଜର ରଖିଛି। ସ୍ଥିତି ସ୍ବାଭାବିକ ହେବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ପରେ ଲୋକେ ଆଉ କଟକଣାକୁ ଖାତିର କରୁନାହାନ୍ତି। ଫଳରେ ଏପରି ସ୍ଥିତି ସୃଷ୍ଟି ହୋଇଛି। ଲୋକେ ସଚେତନ ନହେଲେ ଜିଲ୍ଲାରେ କମିଥିବା ସଂକ୍ରମଣ ପୁଣିଥରେ ଉଗ୍ର ରୂପ ଧାରଣ କରିବ।

The post ଗଜପତିରେ ଯୁବବର୍ଗଙ୍କ ଜ୍ବର, ଥଣ୍ତା ଓ କାଶ ବଢୁଛି, ଟେଷ୍ଟିଂ କମିଛି first appeared on Sambad.

from ଜିଲ୍ଲା | Sambad https://ift.tt/3DaRuGa