
ରାଉରକେଲା: ଭୁବନେଶ୍ବର ପରି ଆଗଉନି ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ। ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ଚାଲିଛି। ମାସ ମାସ ଧରି ସହରର ମୁଖ୍ୟ ରାସ୍ତାକୁ ଅଧପନ୍ତରିଆ କରି ଛାଡି ଦିଆଯାଇଥିବାରୁ ଲୋକେ ନାହିଁ ନଥିବା ହୀନସ୍ତା ହେଉଛନ୍ତି। ପାନପୋଷ ଛକଠାରୁ ଉଦିତନଗର ପର୍ଯ୍ୟନ୍ତ ଫେଜ୍ -୧ ସ୍ମାର୍ଟ ରାସ୍ତା ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ସାମାନ୍ୟ ବର୍ଷାରେ ଧସି ଯାଉଛି। ପାନପୋଷ ହକି ଛକରୁ ହନୁମାନବାଟିକା ଓ ହନୁମାନ ବାଟିକାରୁ ମହତାବ ରୋଡ ପର୍ଯ୍ୟନ୍ତ ଫେଜ୍-୨ କାମ ଧିମେଇ ଚାଲିଛି। ଚାଲିଥିବା ଅନେକ ପ୍ରକଳ୍ପର ସେହି ସମାନ ସ୍ଥିତି ଉପୁଜିଛି ବୋଲି ଗୁରୁତର ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ।
ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦିତନଗର ସ୍ମାର୍ଟସିଟ ଅଫିସ୍ ଘେରାଉ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ବରେ ୨ ଘଣ୍ଟା ଧରି ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରୀ ତିର୍କୀ କହିଛନ୍ତି ୨୦୧୬-୧୭ ଆର୍ଥିକ ବର୍ଷରେ ରାଉରକେଲା ସ୍ମାର୍ଟସିଟି ତାଲିକାଭୁକ୍ତ କରାଯାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ୩୭୬ କୋଟି ଟଙ୍କା ସହରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟ ଆସିଥିଲା। ସରକାରୀ ଦଳ ନେତାଙ୍କ ଛତ୍ରଛାୟାରେ ରହି ବିଭିନ୍ନ ପ୍ରକଳ୍ପ ନିର୍ମାଣ ନାଁରେ ସ୍ମାର୍ଟସିଟିର ଯନ୍ତ୍ରୀ ଓ ଅଧିକାରୀମାନେ ହରିଲୁଟ୍ ଚଳାଇଛନ୍ତି।
ଆସନ୍ତା ୧୫ ଦିନ ମଧ୍ୟରେ ନିର୍ମାଣଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ସହ ରାସ୍ତା ନିର୍ମାଣ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ନ ହୁଏ ଅଫିସ୍ରେ ତାଲା ମରାଯିବ। କାର୍ଯ୍ୟରତ ଯନ୍ତ୍ରୀ ଓ ଅଧିକାରୀଙ୍କୁ ସ୍ମାର୍ଟସିଟି ଅଫିସ ଭିତରକୁ ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି, ବୀରମିତ୍ରପୁର ନେତା ରୋହିତ ଯୋଶେଫ ତିର୍କୀ, ଦେବବ୍ରତ ବିହାରୀ, ସନ୍ତୋଷ ବିଶ୍ବାଳ, ଉମେଶ ଶରଣ, କୀର୍ତ୍ତନ ଦାସ, ପ୍ରଭାତୀ ମିଶ୍ର, ରାମାନନ୍ଦ ଶ୍ରୀଚନ୍ଦନ, ବରିଷ୍ଠ ନେତା ସବିର ହୁସେନ, ବରିୟମ ସିଂହ, ସରୋଜ ଲେଙ୍କା, ଲତା ନାୟକ, ନିରୁପମା ବଳିୟାର ସିଂହ ପ୍ରମୁଖ ସାମିଲ ହୋଇଥିଲେ।
The post ଆଗଉନି ସ୍ମାର୍ଟସିଟି ପ୍ରକଳ୍ପ, ଘେରିଲେ ଅଫିସ୍ first appeared on Sambad.from ଜିଲ୍ଲା | Sambad https://ift.tt/3AzzAe5
0 Comments